Sat. May 16th, 2026

ଊହାନ୍‌ ପରୀକ୍ଷାଗାରରୁ କରୋନଭାଇରସ୍ ଖସି ଆସିଥିବା ଖବର ଉପରେ ତଦନ୍ତ କରୁଛୁ: ଡୋନାଲ୍‌ଡ୍‌ ଟ୍ରମ୍ପ୍

251 Views

ୱାସିଂଟନ୍‌ : ଚୀନ୍‌ର ଊହାନ୍‌ ପରୀକ୍ଷାଗାରରୁ ଅଭିନବ କରୋନାଭାଇରସ୍‌ ଖସି ଆସିଛି ବୋଲି ମିଳିଥିବା ଖବର ବିଷୟରେ ଯୁକ୍ତରାଷ୍ଟ୍ର ଆମେରିକା ତଦନ୍ତ କରୁଥିବା କଥା ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ କହିଛନ୍ତି।

ହ୍ବାଇଟ୍ ହାଉସ୍ ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ସାମ୍ବାଦିକଙ୍କର ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ୍ କହିଲେ, ଆମେ ତାହାର ତଦନ୍ତ କରୁଛୁ, ଅନେକ ଲୋକ ବି ତଦନ୍ତ କରୁଛନ୍ତି। ଖବର ଯୁକ୍ତିଯୁକ୍ତ ମନେହେଉଛି।

ଲୋକେ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରକାରର ବାଦୁଡ଼ି ବିଷୟରେ କହୁଛନ୍ତି। ସେ କଥା ଯଦି ବିଶ୍ବାସ କରାଯାଏ ତେବେ ଜାଣିରଖନ୍ତୁ, ବାଦୁଡ଼ି ସଂକ୍ରମିତ ଅଞ୍ଚଳରେ ନ ଥିଲା। ଆମିଷ ବଜାର ଅଞ୍ଚଳରେ ମଧ୍ୟ ସେ ବାଦୁଡ଼ି ନ ଥିଲା। ସେ ବାଦୁଡ଼ି ସେଠାରୁ ୪୦ ମାଇଲ୍ ଦୂରରେ ରହେ।

ଗୁଡ଼ାଏ ବିଚିତ୍ର ଜିନିଷ ଘଟିଯାଉଛି, ଗୁଡ଼ାଏ ତଦନ୍ତ ବି ଚାଲିଛି, ଆମେ ରହସ୍ୟ ଭେଦ କରିବୁ। ମୋଟ୍ ଉପରେ ମୁଁ ଏତିକି କହିବି, ଚୀନ୍‌ରୁ ସେ ଭୂତାଣୁ ଯେଉଁ ଉପାୟରେ ଆସିଥାଉ ନା କାହିଁକି, ସେଥିପାଇଁ ୧୮୪ ଦେଶ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି।

ଟ୍ରମ୍ପ୍ ଆହୁରି କହିଲେ ଯେ ଊହାନ୍‌ରେ ଥିବା ଉକ୍ତ ‘ଚତୁର୍ଥସ୍ତରୀୟ’ ପରୀକ୍ଷାଗାର ପାଇଁ ଆମେରିକା ଆର୍ଥିକ ସହାୟତା ବନ୍ଦ କରିବ। ଓବାମା ପ୍ରଶାସନ ସେମାନଙ୍କୁ ୩. ୭ ନିୟୁତ ଡଲାର୍ ମଞ୍ଜୁର କରିଥିଲା। ଖୁବ୍ ଶୀଘ୍ର ଆମେ ସେ ଆର୍ଥିକ ସହାୟତା ବନ୍ଦ କରିବୁ।

ଏହି ମାରାତ୍ମକ ଭୂତାଣୁ ଊହାନ୍ ପରୀକ୍ଷାଗାରରୁ ଖସି ଆସିଛି କି, ନାହିଁ ସେ ବିଷୟରେ ଆମେରିକା ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ବୋଲି ‘ଫକ୍ସ ନିଉଜ୍’ ମଧ୍ୟ ରିପୋର୍ଟ କରିଥିଲା।

By amfnews

Related Post