Tue. Aug 4th, 2026

ଇଲେକ୍‌ସନ୍‌ ଡିୟୁଟିରେ ଥାଇ ବି ଭୋଟ୍‌ ଦେଲେ ନାହିଁ ୨୦୧୭ରେ ଆର୍ମି ଜିପ୍‌ରେ ବନ୍ଧା ହୋଇଥିବା ଫାରୁକ୍‌ ଦର୍‌

441 Views

ଚିଲ୍‌: ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସମୟରେ ୨୦୧୭ରେ ଜମ୍ମୁ ଓ କଶ୍ମୀରରେ ଉପନିର୍ବାଚନ ସମୟରେ ସେନା ଜିପ୍‌ର ବନେଟ୍‌ରେ ବନ୍ଧା ହୋଇଥିବା କଶ୍ମୀରୀ ବ୍ୟକ୍ତି ଫାରୁକ୍‌ ଅହମଦ୍‌ ଦର୍‌ ନିର୍ବାଚନ ଡିୟୁଟିରେ ଥାଇ ବି ଭୋଟ୍‌ ଦେଇ ନାହାନ୍ତି।

ବଡ଼ଗାମର ଚିଫ୍‌ ମେଡିକାଲ୍‌ ଅଫିସର୍‌ ନାଜିର୍‌ ଅହମଦ୍‌ କହନ୍ତି: ଖାଁ ସାହିବ ହସ୍‌ପିଟାଲ୍‌ରେ କାର୍ଯ୍ୟ କରୁଥିବା ଦର୍‌ ଭୋଟ୍‌ ଗ୍ରହଣକାଳୀନ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଡିୟୁଟିରେ ଥିଲେ। ବୀର୍‌ଓ୍ଵାହର ଚେଇଲ୍‌-ବ୍ରାସ୍‌ ଗ୍ରାମର ୨୮ ବର୍ଷିୟ ଦର୍‌ ଏପ୍ରିଲ୍‌ ୯ ତାରିଖ ୨୦୧୭ ମସିହାରେ ଶ୍ରୀନଗର ଲୋକସଭା ଆସନର ଉପନିର୍ବାଚନରେ ଭୋଟ୍‌ ଦେଇ ବାହାରି ଆସିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଟେକାପଥର ଫିଙ୍ଗା ଚାଲିଥିଲା। ଟେକାଫିଙ୍ଗାଳିଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ରାଷ୍ଟ୍ରୀୟ ରାଇଫଲ୍‌ର ମେଜର ଲିଟୁଲ୍‌ ଗୋଗୋଇ ଦର୍‌ଙ୍କୁ ତାଙ୍କ ଜିପ୍‌ ବନେଟ୍‌ରେ ବାନ୍ଧି ୧୭ଟି ଗାଁ ଭିତର ଦେଇ ଆଣିଥିଲେ।

ଆପଣା କାର୍ଯ୍ୟର ଯଥାର୍ଥତା ଦର୍ଶାଇ ଗୋଗୋଇ କହିଥିଲେ କି, ଏହା ଦ୍ୱାରା ନିର୍ବାଚନ କର୍ମଚାରୀଙ୍କ ସମେତ ଜୀବନ ରକ୍ଷା ହୋଇ ପାରିଲା।
‘ମାନବ ଢାଲ’ ଭାବେ ଡର୍‌ଙ୍କୁ ବ୍ୟବହାର କରାଯାଇଛି ଦର୍ଶାଇ ଗଣମାଧ୍ୟମରେ ତାଙ୍କର ସେ ସମୟର ଫଟୋ ପ୍ରକାଶ ପାଇବା ପରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା। ତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜମ୍ମୁ ଓ କଶ୍ମୀର ସରକାରଙ୍କୁ ରାଜ୍ୟ ମାନବ ଅଧିକାର କମିସନ୍‌ ଆଦେଶ ଦେଇଥିଲେ।

ଯଦିବା ଦର୍‌ଙ୍କୁ ଏଯାବତ୍‌ କ୍ଷତିପୂଣ ବାବଦ ଅର୍ଥ ମିଳିନାହିଁ ସରକାର ତାଙ୍କୁ ଗତ ବର୍ଷ ସ୍ୱାସ୍ଥ୍ୟ ବିଭାଗରେ ଝାଡୁଦାର କାମ ଦେଇଛନ୍ତି।

ତାଙ୍କ ଭାଇ ଫୟାଜ୍‌ କହନ୍ତି: ଖାଁ ସାହିବ ଡାକ୍ତରଖାନାରେ ଦର୍‌ ଏବେ ଅସ୍ଥାୟୀ କର୍ମଚାରୀ। ନିର୍ବାଚନ କାର୍ଯ୍ୟରେ ସେ ବୁଧବାର ଦିନ ନିର୍ବାଚନ ଡିୟୁଟିରେ ଯାଇଥିଲେ। ବୁଥ୍‌ ପରିସରରେ ଝାଡୁ ଦେବା କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇଥିଲା। କିନ୍ତୁ ସେ ଆଜି ଭୋଟ୍‌ ଦେଇ ନାହାନ୍ତି। ଗତ ନିର୍ବାଚନରେ କ’ଣ ହେଲା ଆପଣମାନେ ତ ଜାଣନ୍ତି।

By amfnews

Related Post