Wed. Jul 15th, 2026

ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ସର୍ଭେ: ଓଡ଼ିଶାରେ ଏବେ ବି ନବୀନ ସର୍ବାଧିକ ଲୋକପ୍ରିୟ

382 Views

ନୂଆଦିଲ୍ଲୀ,31 Jan. 2019: ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେ ଅନୁସାରେ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀତ୍ୱରେ ଥିବା ନବୀନ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ଯଦିଓ ଗତ ଚାରି ମାସ ମଧ୍ୟରେ ତାଙ୍କର ଲୋକପ୍ରିୟତାରେ ସାମାନ୍ୟ ହ୍ରାସ ଘଟିଛି ତଥାପି ସେ ରାଜ୍ୟର ଅନ୍ୟନେତାଙ୍କ ଠାରୁ ଆଗରେ ଅଛନ୍ତି।

ଜାନୁଆରି ମାସରେ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୫୨ ପ୍ରତିଶତ ଅଂଶଗ୍ରହଣକାରୀ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ୨୦୧୮ ସେପ୍ଟେମ୍ବର ଓ ନଭେମ୍ବରରେ ଏହି ସମର୍ଥନ ଯଥାକ୍ରମେ ୫୪ ଓ ୫୯ ପ୍ରତିଶତ ଥିଲା।

ଇଣ୍ଡିଆ ଟୁଡେ ପଲିଟିକାଲ ଏକ୍ସଚେଞ୍ଜ ତଥ୍ୟ ଅନୁସାରେ ପସନ୍ଦର ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନଙ୍କ ତଳକୁ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୬ ପ୍ରତିଶତ ଅଂଶଗ୍ରହଣକାରୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ଏହି ତାଲିକାରେ ଧର୍ମେନ୍ଦ୍ରଙ୍କ ତଳକୁ ରହିଛନ୍ତି ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ। ସର୍ଭେରେ ଅଂଶଗ୍ରହଣ କରିଥିବା ୮ ପ୍ରତିଶତ ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି।

ଅନପକ୍ଷରେ ସଂଖ୍ୟାଧିକ ଓଡ଼ିଶାବାସୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଶା ପ୍ରକାଶ କରୁଛନ୍ତି। ଜାନୁଆରିରେ ସଂଗୃହୀତ ତଥ୍ୟ ଅନୁସାରେ ୫୮ ପ୍ରତିଶତ ଅଂଶଗ୍ରହଣକାରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚିତ କରିବା ସପକ୍ଷରେ ଅଛନ୍ତି। ଏହି ତଥ୍ୟ ଅନୁସାରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୨୦ ପ୍ରତିଶତ ଓ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୧୦ ପ୍ରତିଶତ ଦେଖିବାକୁ ଚାହାନ୍ତି।

By amfnews

Related Post