Mon. Aug 31st, 2026

ଇଟ‌ାରେ ଛେଚି ବାପାକୁ ମାରି ଦେଲେ ଦୁଇ ପୁଅ

168 Views

କୋଇଡ଼ା : ଘରେ କବାଟ ଲଗାଇବାକୁ କେନ୍ଦ୍ରକରି ବାପ-ପୁଅ କଳିରେ ବାପ ବଳି ପଡ଼ିଛି। ଦୁଇ ପୁଅ ମିଶି ଇଟାରେ ଛେଚି ଛେଚି ବାପକୁ ମାରି ଦେଇଛନ୍ତି। ହତ୍ୟାକାଣ୍ଡ ପରେ ଉଭୟ ଫେରାର୍ ହୋଇ ଯାଇଛନ୍ତି। ଘଟଣାଟି ଘଟିଛି କୋଇଡ଼ା ବ୍ଲକ୍‌ ପାଟମୁଣ୍ଡା ପଞ୍ଚାୟତର କ୍ରିୟାକୁଦର ଗ୍ରାମରେ।

କ୍ରିୟାକୁଦର ଗ୍ରାମର ବାଇଧର ମୁଣ୍ଡା (୬୨) ଏକ ନୂଆ ଘର ତିଆରି କରିଥିବା ବେଳେ ତାହା ଅସମ୍ପୂର୍ଣ୍ଣ ରହିଛି। ଏହି ଘରେ କବାଟ ଲଗାଇବାକୁ ସେ ନିଜର ଦୁଇ ପୁଅକୁ କହି ଆସୁଥିଲା। କେହି ନ ଶୁଣିବାରୁ ଗତ ସୋମବାର ରାତିରେ ପୁଅମାନେ ରହୁଥିବା ପୁରୁଣା ଘରେ ପଡ଼ିଥିବା ଏକ କାଠ କବାଟ ଆଣି ଲଗାଇବାକୁ ଉଦ୍ୟମ କରିଥିଲା। ଏହାକୁ ଦୁଇ ପୁଅ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ପୁଅ ଜୟରାମ ମୁଣ୍ଡା (୩୫) ଓ ଗୋପାଳ ମୁଣ୍ଡା (୨୭) ଇଟାରେ ବାପା ବାଇଧରକୁ ଆକ୍ରମଣ କରିବା ସହ ଛେଚି ଛେଚି ମାରି ଦେଇଥିଲେ। ଏ ସମ୍ପର୍କରେ ବାଇଧରଙ୍କ ସାନପୁଅ ଆଜି କୋଇଡ଼ା ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ସାମାନ୍ୟ କଥାକୁ ନେଇ ଦୁଇ ପୁଅ ବୃଦ୍ଧ ପିତାକୁ ହତ୍ୟା କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post