Sat. Jul 25th, 2026

ଇଞ୍ଜେକସନ୍ ଦେଇ ବିଦା ହେଲେ ସଫେଇ କର୍ମଚାରୀ

235 Views

ଢେଙ୍କାନାଳ  :  ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଞ୍ଜେକସନ୍ ଦେଇଥିବା ସଫେଇ କର୍ମଚାରୀ ମନୋରମା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ଡ୍ୟୁଟିରେ ଥିବା ଷ୍ଟାଫ୍ ନର୍ସ ଶାଶ୍ୱତି ବେହେରାଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯିବା ସହ ଛୁଟିରେ ପଠାଯାଇଛି।

ସୂଚନାଯୋଗ୍ୟ,ଗତ ୪ ତାରିଖରେ ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକସନ୍‌ ଦେଉଥିବା ନେଇ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।  ଏହା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିରଞ୍ଜନ ମିଶ୍ର କହିଛନ୍ତି,“ କଣ୍ଟ୍ରାକ୍ଟର ମାଧ୍ୟମରେ ମନୋରମା ବେହେରା କାମ କରୁଥିଲେ। ତାଙ୍କୁ କାର୍ଯ୍ୟରୁ ବାହାର କରିଦେବା ପାଇଁ କଣ୍ଟ୍ରାକ୍ଟରଙ୍କୁ କୁହାଯାଇଛି। ସେ ତାଙ୍କ କାର୍ଯ୍ୟ ପରିଧି ଭିତରୁ ବାହାରକୁ ଯାଇ କାମ କରିଛନ୍ତି। ଆଉ ଷ୍ଟାଫ୍ ନର୍ସକୁ ଛୁଟିରେ ଯିବାକୁ କହିଛୁ। ଏଥିସହ ଘଟଣା ସମ୍ପର୍କରେ ଲିଖିତ ଭାବେ ମତାମତ ଦେବାକୁ ତାଙ୍କୁ କହିଛୁ। ସେ  ଲିଖିତ ଭାବେ ଦେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିରେ  ଏହା ଉପସ୍ଥାପନା କରାଯିବ। ଏହାପରେ ସରକାରୀ ବିଧି ବ୍ୟବସ୍ଥା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

By amfnews

Related Post