Wed. Jul 29th, 2026

ଆସିକା ଚିନିଶିଳ୍ପର ମୋଲାସିସ୍ ଟାଙ୍କି ଫାଟିବାରୁ ମୁଖ୍ୟରାସ୍ତାକୁ ଆସିଲା ତରଳ ଗୁଡ଼, ଲୋକେ ଆତଙ୍କିତ

323 Views

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଚିନିଶିଳ୍ପରେ ଥିବା ମୋଲାସିସ୍ ଟାଙ୍କିରୁ ତରଳ ଗୁଡ଼ ପ୍ରବାହିତ ହେବା ଫଳରେ ଲକ୍ଷାଧିକ ଟଙ୍କାର ଚିନି ନଷ୍ଟ ହେବାର ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ରାତିରେ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।


ସୂଚନାଯୋଗ୍ୟ, ଆଖୁ ପେଡ଼ା ହେବା ପରେ ଗୋଟିଏ ପଟେ ଚିନି ବାହାରିଥାଏ ଏବଂ ଅନ୍ୟପଟେ ମଦ ପ୍ରସ୍ତୁତି ଲାଗି ତରଳ ଗୁଡ଼ ବାହାରିଥାଏ। ଏହି ତରଳ ଗୁଡ଼ ପ୍ରବାହିତ ହେବା ଫଳରେ ତାହା ମୁଖ୍ୟ ରାସ୍ତାକୁ ଚାଲି ଆସିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିଲେ। ସେମାନେ ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦେଶକଙ୍କୁ ଖବର ଦେଇଥିଲେ। ତା’ପରେ ମୋଲାସିସ୍ ଟାଙ୍କିର ମରାମତି କରାଯାଇଛି।

ଏହି ଘଟଣା ସଂପର୍କରେ ପରିଚାଳନା ନିର୍ଦେଶକ ଲକ୍ଷ୍ମୀକାନ୍ତ ବେହେରା କହିଛନ୍ତି ଯେ ଏହାକୁ ଦେଇ ତଦନ୍ତ ଜାରି ରହିଛି। ଅବହେଳା କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ ମସିହାରେ ଏଭଳି ଟାଙ୍କି ଫାଟି ତରଳ ଗୁଡ଼ ବାହାରକୁ ଆସିବା ଫଳରେ ତିନିଜଣଙ୍କର ପ୍ରାଣହାନି ଘଟିଥିଲା।

By amfnews

Related Post