Sun. Sep 20th, 2026
395 Views

ଗୌହାଟି: ଆସାମର ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାରେ ଦୁଇଜଣ ଅଗ୍ନିଶମ ସେବା କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଜି ସେ ଦୁଇଜଣଙ୍କର ଶବ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଅନ୍ୟ ଜଣେ ଅଗ୍ନିଶମ ସେବା କର୍ମଚାରୀ ନିଖୋଜ ଥିବା କଥା ଆସାମ ମୁଖ୍ୟ ଶାସନ ସଚିବ କୁମାର ସଞ୍ଜୟ କୃଷ୍ଣ ସୁନିଶ୍ଚିତ କରି କହିଛନ୍ତି।

ତିନିସୁକିଆ ଜିଲ୍ଲାରେ ଅବସ୍ଥିତ ଆସାମର ବାଗଜାନ ତୈଳକୂପରେ ଜଳୁଥିବା ନିଆଁ ଲିଭାଇବାକୁ ଉଦ୍ୟମ ଚଳାଇଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍‌ର ଇଞ୍ଜିନିୟର୍, ଏନ୍‌ଓଜିସି କର୍ମଚାରୀଙ୍କୁ ମଧ୍ୟ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯାଇଛି।

ଅଏଲ୍ ଇଣ୍ଡିଆ ଲିମିଟେଡ୍‌ର ମୁଖପାତ୍ର ତ୍ରିଦିବ ହଜାରିକା କହିଛନ୍ତି ଯେ, ନିଆଁ ଲିଭାଇ ଅଭିଯାନ ଶେଷ କରାଯିବାକୁ ଆହୁରି ଚାରି ସପ୍ତାହ ଲାଗିବ। ଘଟଣାସ୍ଥଳରେ ଅନ୍ୟୂନ ୧୫ଟି ଦମକଳ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି।

ଏହି ଅଗ୍ନିକାଣ୍ଡ ଯୋଗୁଁ ୫୦ଟି ଘର ଓ ଅନେକ ଗଛବୃଚ୍ଛ ପୋଡ଼ିଯିବା ସହ ଜଳଚର ଅଞ୍ଚଳ ନଷ୍ଟ ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଆଖପାଖ ଗ୍ରାମଗୁଡ଼ିକରେ ଥିବା ୧, ୬୧୦ ପରିବାରର ପ୍ରାୟ ୩୦୦୦ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପକୁ ସ୍ଥାନାନ୍ତର କରିଛି।

By amfnews

Related Post