Wed. Sep 30th, 2026

ଆଶ୍ରମ ସ୍କୁଲରେ ନାଁ ଲେଖାଇବାକୁ କହି ପୁତୁରାକୁ ନେଇଗଲା ବଡ଼ମା’

208 Views

କେନ୍ଦୁଝର : ଆଶ୍ରମ ସ୍କୁଲରେ ନାମ ଲେଖାଇବାକୁ କହି ୧୦ ବର୍ଷର ପୁତୁରାକୁ ଏକ କୁକୁଡ଼ା ଫାର୍ମରେ କାମରେ ଲଗାଇ ଦେଇଥିଲା ବଡ଼ ମା’। ଦୀର୍ଘ ୪ ମାସ ପରେ ଏ ନେଇ ପିଲାଟିର ପରିବାର ଲୋକେ ଖୋଳତାଡ଼ କରିବା ପରେ ଘଟଣା ସାମନାକୁ ଆସିଛି।  ପିଲାଟିର ବଡ଼ମା’ ଜଣେ ଅଙ୍ଗନୱାଡି ଦିଦି ହୋଇଥିବା ବେଳେ ତାଙ୍କର ଏପରି ପଦକ୍ଷେପକୁ ଚାରି ଆଡ଼ୁ ସମାଲୋଚନା କରାଯାଇଛି।

ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଗୟଳମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାଦୁଡିଘେରା ଗାଁରୁ । ଏକ  ଆଶ୍ରମ ସ୍କୁଲରେ ନାମ ଲେଖାଇବାକୁ କହି ସୁରେନ୍ଦ୍ର ଦିଗି ନାମକ ବ୍ୟକ୍ତିଙ୍କ ପୁଅ ଜେନା ଦିଗିଙ୍କୁ ତାଙ୍କ ବଡମା ରେବତି ଦିଗି  ଗତ ଏପ୍ରିଲ ମାସରୁ ଘରୁ ନେଇଯାଇଥିଲେ । ନିଜ ପୁତୁରାଙ୍କ ସହ ଗାଁର ଅନ୍ୟ ଦୁଇ ନାବାଳକଙ୍କୁ ମଧ୍ୟ ଆଶ୍ରମ ସ୍କୁଲରେ ନାମ ଲେଖାଇବାକୁ କହି ସେ ନେଇ ଯାଇଥିଲେ।

ରେବତୀ ଅଙ୍ଗନବାଡି ଦିଦି ଭାବେ କାର୍ଯ୍ୟ କରୁଥିବାରୁ ବିନା କୌଣସି ସନ୍ଦେହରେ ତାଙ୍କ ସହିତ ପିଲାଙ୍କୁ ଛାଡିଦେଇଥିଲେ ଅଭିଭାବକ । ତେବେ ପ୍ରାୟ ୧୫ ଦିନ ପୂର୍ବେ ଅନ୍ୟ ଦୁଇ ପିଲା ଘରକୁ ଫେରିଥିଲେ ମଧ୍ୟ ଜେନା ଦିଗି  ଘରକୁ ଫେରି ନ ଥିଲା।  ଏନେଇ ତାଙ୍କ ବାପା ଭାଉଜଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।

ଶେଷରେ ସୁରେନ୍ଦ୍ର ଘଟଣା ସମ୍ପର୍କରେ ଗତକାଲି ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସୁରେନ୍ଦ୍ରଙ୍କ ଅଭିଯୋଗ ପରେ ପୁଲିସ୍‌ ରେବତୀଙ୍କୁ ପଚରାଉଚରା କରି ଖୋଳତାଡ଼ ଆରମ୍ଭ କରିଥିଲା। ଏହାପରେ କେନ୍ଦୁଝର ଜିଲା ପୁରୁଣିଆ ଅଞ୍ଚଳରେ ଥିବା କୁକୁଡ଼ା ଫାର୍ମରୁ ପିଲାଟିକୁ ଉଦ୍ଧାର କରି ଆଜି ସକାଳେ ତା ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

By amfnews

Related Post