Sun. Apr 26th, 2026

ଆର୍ଦ୍ରତା ବାହାନା, ନାକଟେକୁଛି କପା ନିଗମ : ଆରମ୍ଭରୁ କପାଚାଷୀ କଟ୍‌ନି ଛଟ୍‌ନି

178 Views

କେସିଙ୍ଗା : କଳାହାଣ୍ଡି ଜିଲ୍ଲାରେ ବିଳମ୍ବିତ ମଣ୍ଡି ଯୋଗୁଁ କପାର ଅଭାବୀ ବିକ୍ରି ହେଉଥିଲା। ଏବେ ମଣ୍ଡି ଆରମ୍ଭର ପ୍ରଥମ ଦିନରେ ହିଁ କପା ନିଗମ କପାରେ ଆର୍ଦ୍ରତା ଥିବା ଦର୍ଶାଇ ନାକଟେକୁଛି। ଆରମ୍ଭରୁ କଟ୍‌ନି ଛଟ୍‌ନି ଆରମ୍ଭ ହୋଇଯାଇଛି। ସୋମବାର ମାତ୍ର ୬ ଗାଡ଼ି କପା କିଣାଯାଇଥିଲା ଏବଂ ଆଉ କିଛି ଚାଷୀ ହଇରାଣ ହୋଇ କଟ୍‌ନି ଛଟ୍‌ନିର ଶିକାର  ହୋଇଥିଲେ। ମଣ୍ଡିକୁ ମୋଟ ୨୫ଟି କପା ବୋଝେଇ ଗାଡ଼ି ଆସିଥିଲା। ଗାଡ଼ିଭଡ଼ା କରି ଆସିଥିବା କିଛି ଚାଷୀ ବିକ୍ରି କରିନପାରି ପୁଣି ସେହି ଗାଡ଼ିରେ କପା ଫେରାଇ ନେଇଥିଲେ।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ସୋମବାର ଉତ୍କେଲାରେ କପାମଣ୍ଡି ଆରମ୍ଭ ହୋଇଥିଲା। ଆର୍‌ଏମ୍‌ସିରୁ ଟୋକନ ପାଇ ଚାଷୀମାନେ କପା ଆଣିଥିଲେ। କିନ୍ତୁ, ଭାରତୀୟ କପା ନିଗମ ଆର୍ଦ୍ରତା ଥିବା ଦର୍ଶାଇ ଅମଙ୍ଗ ହେଉଛି। ଏହାକୁ ନେଇ ଚାଷୀମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁଇଜଣ ଚାଷୀ ଜୟପ୍ରକାଶ ସାହୁ ଓ ଡମ୍ବରୁ ଧର ଶେଷରେ ନିଜ କପା ଘରକୁ ଫେରାଇ ନେଇଛନ୍ତି। ସୋମବାର ନିଗମ ମାତ୍ର ୫ ଗାଡ଼ି କପା ନେଇଥିଲା। ଏହା ପରେ କିଛି କପାଚାଷୀ କୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ୫ହଜାର ୫ ଶହ ଥିବାବେଳେ ମାତ୍ର ୪୬୧୫ ଟଙ୍କାରେ ବିକିବାକୁ ବାଧ୍ୟହୋଇଛନ୍ତି। ଆରମ୍ଭରୁ ଚାଷୀ କୁଇଣ୍ଟାଲ ପିଛା ୯ଶହ ଟଙ୍କା କମ୍‌ ପାଇଲାଣି। ଏଣୁ ସରକାର ପ୍ରତିବର୍ଷ ସହାୟକ ମୂଲ୍ୟ ବଢ଼ାଇଲେ ମଧ୍ୟ ଚାଷୀ ତାର ଉଚିତ ପ୍ରାପ୍ୟ ପାଉ ନାହିଁ ବୋଲି ଅଭିଯୋଗ ହୋଇଛି। ଜିଲ୍ଲାରେ ଏ ବର୍ଷ ଭଲ ଚାଷ ହୋଇଥିବାରୁ ପ୍ରାୟ ୬ ଲକ୍ଷ କୁଇଣ୍ଟାଲ କପା ଉତ୍ପାଦନ ହେବ ବୋଲି କୃଷି ବିଭାଗ କହିଛି। ନିଗମ ଉପରେ ପ୍ରଶାସନ କି ସରକାର ଚାପ ପକାଉ ନଥିବାରୁ ମନ‌ମୁଖୀ କରୁଛି ଏବଂ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ଆନ୍ଦୋଳନ ଆଡ଼କୁ ମୁହାଁଇଲାଣି। ଏ ନେଇ ନିଗମ କର୍ମଚାରୀ ମୁହଁ ଖୋଲୁନାହାନ୍ତି।

By amfnews

Related Post