Thu. Sep 3rd, 2026

ଆରଟିଓ ଅଫିସରେ ଦଲାଲଙ୍କ ରାଜ୍‌

263 Views

ଭୁବନେଶ୍ୱର : ନୂଆ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଧରପଗଡ଼ ଚାଲିଛି। ଲୋକମାନେ ନିଜ ଗାଡ଼ିର ଲାଇଲେନ୍ସ ସହ ଅନ୍ୟ ଡକ୍ୟୁମେଣ୍ଟ କରିବା ପାଇଁ ଆରଟିଓ ଅଫିସକୁ ଦୌଡ଼ୁଛନ୍ତି। କିନ୍ତୁ ଏହାର ଫାଇଦା ଉଠାଉଛନ୍ତି ଧୂର୍ତ୍ତ ଦଲାଲ। ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ଭିତରେ ପଶି କାମ କରାଇ ଦେଉଛନ୍ତି। ଯିଏ ପଇସା ଅଧିକ ଦେଲା ତା କାମ ହେଇଯାଉଛି।

ଦୁଇ ଚକିଆ ଯାନର ଡକ୍ୟୁମେଣ୍ଟ ପାଇଁ ଦଲାଲମାନେ ୧୮୦୦ ଟଙ୍କା ନେଉଥିବା ବେଳେ କାର୍‌ ପାଇଁ ସାଢ଼େ ୩ ହଜାର  ଟଙ୍କା ନେଉଛନ୍ତି। ଓନରସିପ୍ ଚେଞ୍ଜ ସହ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ମୋଟା ଅଙ୍କର ଟଙ୍କା ନେଉଛନ୍ତି ଦଲାଲ। ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ଏହି ଅଭିଯୋଗ ଆସିଛି। ଖୋଲାମେଲାରେ ଦଲାଲ ମାତିଥିଲେ ବି ଚୁପ୍ ବସିଛି ପ୍ରଶାସନ ।

ଏନେଇ ଜଣେ ଗ୍ରାହକ କହିଛନ୍ତି, ’‘ଆରଟିଓ ଅଫିସରେ ଯେଉଁ ସବୁ କାମ ହେଉଛି, ସବୁ ଦଲାଲଙ୍କ ମାଧ୍ୟମରେ ହେଉଛି। ଗାଡ଼ିର ଲାଇସେନ୍ସ କରିବାକୁ ଅଫିସକୁ ଆସିଲେ, ବାହାରେ ଏଜେଣ୍ଟଙ୍କୁ ଧର ବୋଲି ଅଫିସର ଷ୍ଟାଫ୍‌ କହୁଛନ୍ତି। ଏଜେଣ୍ଟଙ୍କୁ ନ ଧରିଲେ କାମ ହେଉ ନାହିଁ।” ସେ ଆହୁରି କହିଛନ୍ତି, “ଅଢ଼େଇଶହ ଟଙ୍କାରେ କାମ ହେବ ବୋଲି ସରକାର କହୁଛନ୍ତି। ହେଲେ ଏହା କଥା ସମ୍ପୂର୍ଣ୍ଣ ମିଛ।”

ସେହିପରି ଆଉ ଜଣେ କହିଛନ୍ତି, “ନୟାଗଡ଼ ଆରଟିଓ ଅଫିସରେ ଷ୍ଟାଫ୍‌ କୌଣସି ସହଯୋଗ କରୁ ନାହାନ୍ତି। ପରୋକ୍ଷରେ ଦଲାଲଙ୍କ ସାହାଯ୍ୟ ନେବାକୁ କହୁଛନ୍ତି। ଆରଟିଓ ଅଫିସରେ ବିନା ଦଲାଲରେ କିଛି କାମ ହେଉ ନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।”

By amfnews

Related Post