Fri. May 22nd, 2026

ଆରଏସ୍‌ପି କର୍ମଚାରୀ ମୃତ୍ୟୁ ଘଟଣା: ସୁଧିଆ ଟଙ୍କା ପରିଶୋଧ ନକରିବାରୁ ଗୁଳିକାଣ୍ଡ, ୪ ଅଭିଯୁକ୍ତ ଗିରଫ

316 Views

ରାଉରକେଲା,ଜାନୁଆରୀ ୧୪  : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆରଏସ୍‌ପି)ର ଷ୍ଟିଲ ମେଟାଲିଙ୍ଗ ସପ୍‌ (ଏସ୍‌ଏମ୍‌ଏସ୍‌) ବିଭାଗରେ କାର୍ଯ୍ୟରତ କର୍ମଚାରୀ ନରସିଂହ ସାହୁ ଓରଫ କୈଳାଶ ମୃତ୍ୟୁ ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୁଧିଆ ଟଙ୍କା ପରିଶୋଧ ନକରିବାରୁ ଗୁଳିକାଣ୍ଡ ଘଟଣା ହୋଇଛି ବୋଲି ସୋମବାର ଡିଏସ୍‌ପି ପି.କେ ମିଶ୍ର କହିଛନ୍ତି। ସେକ୍ଟର-୩ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୁଳନୀରେ ଆଇଆଇସି ରଶ୍ମିତା ପଟେଲଙ୍କ ଉପସ୍ଥିତିରେ ମିଶ୍ର କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ଠାରୁ ୨୦୧୩ରେ କୈଳାଶ ଅଢେଇ ଲକ୍ଷ ଟଙ୍କା ସୁଧିଆ ଆକାରରେ ନେଇଥିଲା। ଏହି ଟଙ୍କାକୁ ବହୁ ଦିନ ପର୍ଯ୍ୟନ୍ତ ପରିଶୋଧ ନକରିବାରୁ ସୁଶାନ୍ତ ସିଂହ ବିଗିଡ଼ି ଯାଇଥିଲା। ତେଣୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା। ଉଭୟଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

୨୦୧୮ ଡିସେମ୍ବର ୨୭ରେ ଗୁଳିକାଣ୍ଡ

ଟଙ୍କା ନମିଳିବା ପରେ ସୁଶାନ୍ତ ନିଜ ସାଙ୍ଗ କାହ୍ନଚରଣ ନାଏକ, ଜଗନ୍ନାଥ ନାଏକ ଓ ଅଜୟ ନାଏକଙ୍କ ସହିତ ଗତ ଡିସେମ୍ବର ୨୭ ସନ୍ଧ୍ୟା ୫ଟାରେ ସେକ୍ଟର-୧ସ୍ଥିତ ଡି-୧୪୮ ନିବାସୀ ନରସିଂହ ସାହୁ (୫୦)ଙ୍କ ଘରେ ପଶି ଟଙ୍କା ମାଗିଥିଲେ ଓ ନମିଳିବାରୁ ଗୁଳି କରିଫେରାର ହୋଇ ଯାଇଥିଲେ। ୪ ଜଣ ସାଙ୍ଗ ପୂର୍ବ ଯୋଜନା ଅନୁସାରେ ୨ଟି ବାଇକ୍‌ରେ ଆସିଥିଲେ। ଗୁଳିକାଣ୍ଡ ପରେ ନରସିଂହ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ନରସିଂହଙ୍କୁ ହଠାତ ଆଇଜିଏ୍‌ (ଇସ୍ପାତ ଜେନେରାଲ ହସ୍ପିଟାଲ) ନେଇଯାଇଥିଲେ। ସେଠାରେ ନରସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

By amfnews

Related Post