Wed. Sep 23rd, 2026

ଆରଏସ୍ପି ଓପନ ବକ୍ସିଙ୍ଗ ଟୁର୍ଣ୍ଣାମେଣ୍ଟ-୨୦୧୮ ଉଦ୍ଯାପିତ

273 Views

ରାଉରକେଲା, ଡିସେମ୍ବର ୨୦  : ରାଉରକେଲା ଇସ୍ପାତ କାରଖାନା ବକ୍ସିଙ୍ଗ ଟୁର୍ଣ୍ଣାମେଣ୍ଟ-୨୦୧୮ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିସରରେ ଥିବା ଇସ୍ପାତ ବକ୍ସିଙ୍ଗ କମ୍ପେ୍ଲକ୍ସରେ ଡିସେମ୍ବର ୧୫ ତାରିଖରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ଆରଏସ୍ପି ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ ଅତନୁ ଭୌମିକ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରୋଟୋକଲ, ହସ୍ପିଟାଲ ଓ ସମାଜ କଲ୍ୟାଣ ବିଭାଗର ଡିଜିଏମ୍ ହିରାଲାଲ ମହାପାତ୍ର, କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ, ମ୍ୟାଚ୍ ଅଫିସିଆଲ ଏବଂ ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ପ୍ରତିଯୋଗୀତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ଅବସରରେ ସେ ଆରଏସ୍ପିର ଭେଟେରାନ ବକ୍ସିଙ୍ଗ ଖେଳାଳୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ନିଜର ବକ୍ତବ୍ୟରେ ଶ୍ରୀ ଭୌମିକ ଉକ୍ତ ବକ୍ସିଙ୍ଗ ପ୍ରତିଯୋଗୀତାରେ ଆୟୋଜନ ନିମନ୍ତେ ଆରଏସ୍ପି କ୍ରୀଡା ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ । ସେ ଇସ୍ପାତ୍ ସହରର ଯୁବ ବକ୍ସର ମାନଙ୍କୁ ଦୃଢନିଷ୍ଠ ପରିଶ୍ରମ କରି ନିଜର କ୍ରୀଡା କ୍ୟାରିଅରରେ ଆଗକୁ ବଢିବା ପାଇଁ ଆହ୍ୱାନ ଜଣାଇଥିଲେ । ଆରଏସ୍ପି କ୍ରୀଡା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗୀତାରେ ରାଉରକେଲା ଓ ଏହାର ଆଖପାଖର ଶତାଧିକ ବାଳକ ବାଳିକାଙ୍କୁ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ଏହି ପ୍ରତିଯୋଗୀତାରେ ବିଚାରକଙ୍କ ମଧ୍ୟରେ କ୍ରୀଡା ବିଭାଗ ଇ. ଏ. ସିଦ୍ଦିକି, ଟ୍ରାନ୍ସପୋର୍ଟ ବିଭାଗ ଜେ. ସିଂହ, ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ରାଜେଶ ତିର୍କୀ, ସିଆରଏମ ବିଭାଗ ଇର୍ଫାନ ଖାଲଖୋ, କାର୍ମିକ ବିଭାଗ ଆର୍. ଏନ୍. ପାଢୀ, ଫାଉଣ୍ଡରିଜ ବିଭାଗର ଏସ୍. ଆର୍. ରାଜଗୁରୁ ତଥା ଅନ୍ୟ ପୂର୍ବତନ ଜାତୀୟ ବକ୍ସର ଓ ଆରଏସପି କର୍ମଚାରୀ ସାମିଲ ଥିଲେ । ହିରାଲାଲ ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଇ ଏ ସିଦ୍ଦିକି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କ୍ରୀଡା ବିଭାଗର ଡେପୁଟି ମ୍ୟାନେଜର ଅବିନାଶ ଖଟୁଆ ଧନ୍ୟବାଦ ଜ୍ଞାପନ କରିଥିଲେ ।

By amfnews

Related Post