Thu. Jul 30th, 2026

ଆମେରିକାରେ ୧୬ ବର୍ଷିୟ ବାଳକର ଗୁଳିଚୋଟରେ ତେଲେଙ୍ଗାନା ଲୋକ ମୃତ

289 Views

ହାଇଦ୍ରାବାଦ ୧୮/୧୧ : ଯୁକ୍ତରାଷ୍ଟ୍ର ଆମେରିକାରେ ଗୋଟାଏ କାର୍‌ ଅପହରଣ ଘଟନାରେ ଜଣେ ୧୬ ବର୍ଷିୟ ବାଳକ ତେଲେଙ୍ଗାନାର ଜଣେ ଲୋକଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ଶନିବାର ଦିନ ପୀଡ଼ିତଙ୍କ ପରିବାର ଲୋକେ କହିଛନ୍ତି।

ନଭେମ୍ବର ୧୫ ତାରିଖ ଦିନ ସ୍ଥାନୀୟ ସମୟ ରାତି ପ୍ରାୟ ୮ଟା ସମୟରେ ନିୟୁ ଜର୍ସି ଅନ୍ତର୍ଗତ ଭେଣ୍ଟର୍‌ ସିଟିରେ ଥିବା ତାଙ୍କ ବାସଭବନ ବାହାରେ ୬୧ ବର୍ଷିୟ ସୁନୀଲ ଏଡ୍‌ଲାଙ୍କୁ ନାବାଳକଜଣକ ଗୁଳି ମାରିଥିଲା।

ତେଲେଙ୍ଗାନାର ମେଡ଼କ ଜିଲ୍ଲାରୁ ଯାଇଥିବା ସୁନୀଲ ଆଟଲାଣ୍ଟିକ୍‌ ସିଟିରେ ଥିବା ହସ୍‌ପିଟାଲିଟି ଇଣ୍ଡଷ୍ଟ୍ରିରେ ନାଇଟ୍‌ ଅଡିଟର୍‌ ଭାବେ କାର୍ଯ୍ୟ କରୁଥିଲେ।ସ୍ଥାନୀୟ ଗଣମାଧ୍ୟମ ଖବର ଅନୁସାରେ, ରାତି କାମ ପାଇଁ ସୁନୀଲ ଘରୁ ବାହାରି ଯାଉଥିବା ବେଳେ କିଶୋରଟି ତାଙ୍କୁ ଗୁଳି ମାରି ତାଙ୍କ କାର୍‌ ନେଇ ପଳାଇଥିଲା। ପୀଡ଼ିତଙ୍କର ଘଟନାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଶୁକ୍ରବାର ଦିନ ପୁଲିସ ସେ ବାଳକକୁ ଠାବ କରି ଗିରଫ କରିଛି। ତା’ ବିରୋଧରେ ନରହତ୍ୟା, ଡକାୟତି, କାର୍‌ଅପହରଣ ଏବଂ ବେଆଇନ ଭାବେ ପିସ୍ତଲ ରଖିଥିବା ଆଦି ମାମଲା ରୁଜୁ କରାଯାଇଛି। ୧୯୮୭ ମସିହାରୁ ଯୁକ୍ତରାଷ୍ଟ୍ର ଆମେରିକା ଚାଲିଯାଇଥିବା ସୁନୀଲ ଏ ମାସର ଶେଷ ଆଡ଼କୁ ଘରକୁ ଆସି ଥାଆନ୍ତେ। ତାଙ୍କ ଆତ୍ମୀୟଙ୍କ କହିବା ଅନୁସାରେ, ମାଆଙ୍କ ୯୫ତମ ଜନ୍ମଦିନ ଓ ବଡ଼ଦିନ ପାଳିବା ସକାଶେ ସେ ଦୁଇମାସ ପାଇଁ ଘରକୁ ଯିବାର ପ୍ରସ୍ତୁତି କରି ସାରିଥିଲେ।

By amfnews

Related Post