Sat. May 16th, 2026

ଆମେ ତ ଭାଗ୍ୟବାନ ପିଲାରେ…

423 Views

ପାଠ ପାଇଁ ଏଠି ନିତି ଛାତିଏ ପାଣିରେ ପଶନ୍ତି ପିଲାଏ

ରାଉରକେଲା : ବର୍ଷା ଆସିଲେ ଏ କୁନି କୁନି ପିଲାଙ୍କ ଭାଗ୍ୟ ବି ବତୁରି ଯାଏ! ପାଠ ପାଇଁ ପିଠିରେ ବହିବସ୍ତାନୀ ଲଦି ପ୍ରତିଦିନ ଭରା ନାଳରେ ପଶି ଛାତିଏ ପାଣିରେ ଯିବାକୁ ପଡ଼େ ସେମାନଙ୍କୁ। ନାଳ ସୁଅରେ କେତେବେଳେ ଯେ କିଏ ଭାସିଯିବ କି ବୁଡ଼ିଯିବ ତା’ର କୌଣସି ଗ୍ୟାରେଣ୍ଟି ନ ଥାଏ। ସ୍କୁଲକୁ ଯାଇଥିବା ପିଲା ଘରକୁ ଫେରିଲେ ଯାଇ ବାପାମା’ ଆଶ୍ୱସ୍ତ ହୁଅନ୍ତି। ଜୀବନ ଗଢ଼ିବାକୁ ନିତି ଏମିତି ଜୀବନକୁ ବାଜି ଲଗାଇ ଚାଲିଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଚୋରଧରା ପଞ୍ଚାୟତର ବନ୍ଧୁକଡେରା ଓ ତନ୍ତରା ଗାଁର କୁନି ପିଲାମାନେ। ବର୍ଷ ବର୍ଷ ଧରି ସମସ୍ତେ ଏହାକୁ ଦେଖୁଥିଲେ ମଧ୍ୟ କିଛି ପ୍ରତିକାର ହୋଇନାହିଁ ଆଜିଯାଏ।

କୋଇଡ଼ା ବ୍ଲକର ଜଙ୍ଗଲ ମୁଲକ ଆଦିବାସୀ ଗାଁ ବନ୍ଧୁକଡେରା ଓ ତନ୍ତରା। ବିକାଶ ପାଖ ମାଡ଼ି ନ ଥିବା ଏ ଦୁଇ ଗାଁର ବଡ଼ ଦୁଃଖ ହେଲା ପାଖ ଦେଇ ବହି ଯାଇଥିବା କୁରାଢ଼ି ନାଳ। ସାମାନ୍ୟ ବର୍ଷା ହେଲେ ଜଙ୍ଗଲରୁ ପାଣି ମାଡ଼ିଆସି ନାଳ ଭରିଯାଏ। ଚୋରଧରା ପଞ୍ଚାୟତର ବନ୍ଧୁକଡେରା ଓ ତନ୍ତରା ସମେତ ଫଟାଟାଙ୍ଗର, ଗଗନାପୋଷ ଓ ଫାରମଡିହି ଆଦି ଗାଁଗୁଡ଼ିକ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ତେବେ ବନ୍ଧୁକଡେରା ଓ ତନ୍ତରା ଗାଁର ଯନ୍ତ୍ରଣା ସମସ୍ତଙ୍କଠୁ ବଳିଯାଏ। ପୋଲ ନ ଥିବାରୁ ତନ୍ତରା ଗାଁର ଉପରପଡ଼ାରୁ ତଳପଡ଼ାକୁ ଆସିବା ପାଇଁ ମଧ୍ୟ ଲୋକଙ୍କୁ ଭରାନାଳରେ ପହଁରି ପାର ହେବାକୁ ପଡ଼େ। ଏ ସ୍ଥିତିରେ ଦୁଇ ଗାଁ ପିଲାଙ୍କ ପାଇଁ ବଡ଼ ସମସ୍ୟା ହେଲା, ପାଠ ପଢ଼ିବାକୁ ନିତି ନାଳ ଆରପଟେ ତନ୍ତରା ଉପର ସାହିରେ ଥିବା ସ୍କୁଲକୁ ଯିବା। ପ୍ରାୟ ୪୦ରୁ ଅଧିକ ପିଲାଙ୍କ ପାଇଁ ଛାତିଏ ପାଣିରେ ଯିବା ଛଡ଼ା ଆଉ କୌଣସି ଉପାୟ ନ ଥିଏ। ନାଳ ପାରି ହେଲାବେଳେ ବହିବସ୍ତାନୀ ଓଦାହେବା ଏକ ପ୍ରକାର ନିଶ୍ଚିତ। କେବେ କେବେ ଅଧିକ ମାତ୍ରାରେ ବର୍ଷା ପାଣି ମାଡ଼ି ଆସିଲେ ନାଳ ପାରିହେବା ସମ୍ଭବ ହୁଏନାହିଁ। ଫଳରେ ସେଦିନ ସ୍କୁଲ ଯିବା ବନ୍ଦ। ଗାଁ ଲୋକେ ଏନେଇ ବହୁବାର ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଗୁହାରି କରିଛନ୍ତି। କିନ୍ତୁ କେହି ଶୁଣି ନାହାନ୍ତି। କିଛି ବର୍ଷ ତଳେ ଚୋରଧରା ପଞ୍ଚାୟତ ମହକୁମାରୁ ନୂଆତନ୍ତରା ଯାଏ ପ୍ରଧାନମନ୍ତ୍ରୀ ସଡ଼କ ତିଆରି ହୋଇଛି, କିନ୍ତୁ ନାଳ ପାଖରୁ ଦେଢ଼ କିଲୋମିଟର ଦୂରରେ ସଡ଼କ ଅଟକି ଯାଇଛି ଯେ ଆଉ ଆଗକୁ ବଢ଼ିବାର ନାଁ ଧରୁ ନାହିଁ।

By amfnews

Related Post