Wed. Jul 1st, 2026

ଆବୁଧାବିରେ ଆନ୍ତର୍ଜାତିକ ପେଟ୍ରୋଲିୟମ୍‌ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ : ୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସରେ ୧୦୦ ବିଲିୟନ୍ ପୁଞ୍ଜିନିବେଶ

274 Views

ଭୁବନେଶ୍ବର : ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ବ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଭାରତର ଲକ୍ଷ୍ୟ। ଏହି ମର୍ମରେ ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ୍ ଓ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ୍ ପୁଞ୍ଜିନିବେଶ କରିବ। ଉର୍ଜା କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ଭାରତ ଉତ୍କୃଷ୍ଟ ସ୍ଥାନ ବୋଲି ଦୁଇ ଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ସୋମବାର ଆବୁଧାବିରେ ଅନୁଷ୍ଠିତ ଆନ୍ତର୍ଜାତିକ ପେଟ୍ରୋଲିୟମ ପ୍ରଦର୍ଶନୀ ଓ ସମ୍ମିଳନୀ(ଆଡିପେକ୍-୨୦୧୯)ରେ ଯୋଗ ଦେଇ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଓ ୟୁଏଇ ମନ୍ତ୍ରୀ ସୁଲତାନ ଅଲ୍‌ ଜାବେର ମିଳିତ ଭାବେ ଭାରତ ପ୍ୟାଭିଲିୟନ୍‌କୁ ଉଦ୍‌ଘାଟନ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ଉର୍ଜାର ନିରନ୍ତର ଆବଶ୍ୟକତା ପୂରଣ କରିବା ପାଇଁ କେନ୍ଦ୍ର ସରକାର ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି। ୨୦୩୦ ସୁଦ୍ଧା ଗ୍ୟାସର ଅଂଶକୁ ୧୫ ପ୍ରତିଶତ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ମୁଣ୍ଡ ପିଛା ଉର୍ଜାର ବ୍ୟବହାର କ୍ଷେତ୍ରରେ ବିଶ୍ବର ହାର ଠାରୁ ଭାରତର ହାର କମ୍। ତେଣୁ ୨୦୨୦ ମଧ୍ୟ ଭାଗ ସୁଦ୍ଧା ଉର୍ଜା କ୍ଷେତ୍ରରେ ଭାରତ ବୃହତ ବଜାର ହେବା ନେଇ ଆଶା ରଖିଛି। ବିଶ୍ବ ଉର୍ଜା ଯୋଗାଣ ଓ ଉର୍ଜା ବ୍ୟବହାରରେ ଭାରତ ମଧ୍ୟ ଭାଗରେ ଅଛି। ଭାରତରେ ସିଟି ଗ୍ୟାସ ନେଟ୍‌ୱର୍କର ସମ୍ପ୍ରସାରଣ ହୋଇଛି, ଯାହା ଭାରତର ୫୦ ପ୍ରତିଶତ ଅଂଶକୁ ଛୁଇଁପାରିଛି ଓ ଜନସଂଖ୍ୟାର ୭୦ ପ୍ରତିଶତ ଲୋକ ଏହାର ସୁବିଧା ପାଇଛନ୍ତି। ଭାରତକୁ ଗ୍ୟାସ୍‌ ଆଧାରିତ ଅର୍ଥ ବ୍ୟବସ୍ଥା କରିବା ପାଇଁ ୬୦ ନିୟୁତ ଆମେରିକୀୟ ଡଲାର ବ୍ୟୟ ବରାଦରେ ଗ୍ୟାସ୍ ଭିତ୍ତିଭୂମି ଯଥା ଗ୍ୟାସ୍ ପାଇପ୍ ଲାଇନ୍, ଟର୍ମିନାଲ, ସିଟି ଗ୍ୟାସ ବିତରଣ ବ୍ୟବସ୍ଥା ଆଦି ବିଭିନ୍ନ କାର୍ଯ୍ୟ କ୍ରିୟାନ୍ବୟନ ଚାଲିଛି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ବିଶ୍ବର ବିକାଶ ସହ ସମନ୍ବୟ ରଖି ଭାରତର ତୈଳ ଓ ଗ୍ୟାସ୍ କ୍ଷେତ୍ର ଆହୁରି ଭଲ ଉପାୟରେ କାମ କରିପାରିବ। ଫଳରେ କେବଳ ଭାରତରେ ଉର୍ଜା ପରିବର୍ତ୍ତନ ପ୍ରଭାବିତ ହେବ ନାହିଁ, ବରଂ ବିଶ୍ବ ଉର୍ଜା ଗତିଶୀଳତାକୁ ଦାୟିତ୍ବପୂର୍ଣ୍ଣ ଭାବେ ପ୍ରଭାବିତ କରିବ। ଆଗାମୀ ଦଶକଗୁଡ଼ିକରେ ଭାରତ ବିଶ୍ବ ଉର୍ଜା ଚାହିଦାର କେନ୍ଦ୍ର ବିନ୍ଦୁ ହେବ। ଦୁଇ ଦଶନ୍ଧି ମଧ୍ୟରେ ତୈଳ ଓ ଗ୍ୟାସ କ୍ରମାଗତ ଭାବେ ସେମାନଙ୍କ ଉର୍ଜାର ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

By amfnews

Related Post