Sat. May 16th, 2026

ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ପରେ ଛତିଶଗଡ଼କୁ ମନା ହେଲା ସିବିଆଇ

268 Views

ନୂଆଦିଲ୍ଲୀ, ଜାନୁଆରୀ ୧୧ : ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ପରେ ଛତିଶଗଡ଼ର କଂଗ୍ରେସ ସରକାର ଗୁରୁବାର ଦିନ ରାଜ୍ୟରେ ମାମଲାଗୁଡ଼ିକର ତଦନ୍ତ କରିବାକୁ ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇଭେଷ୍ଟିଗେସନ୍‌ (ସିବିଆଇ) ସହ ହୋଇଥିବା ସାଧାରଣ ରାଜିନାମାକୁ ପ୍ରତ୍ୟାହାର କରିଛନ୍ତି।

ଏହି ତିନି ରାଜ୍ୟ ବିରୋଧୀ ଦଳଙ୍କ ଶାସନାଧୀନ ଏବଂ ଅଭିଯୋଗ କରୁଛନ୍ତି କି, କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନିର୍ଦେଶରେ ସିବିଆଇ କାର୍ଯ୍ୟ କରୁଛି।

ସିବିଆଇ ଦିଲ୍ଲୀ ସ୍ପେସାଲ୍‌ ପୋଲିସ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌ ଆକ୍ଟ୍‌ ଅଧୀନରେ ରହୁଛି। ରାଜ୍ୟରେ ଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରିବାକୁ ସିବିଆଇ ନିମନ୍ତେ ରାଜ୍ୟମାନଙ୍କର ସାଧାରଣ ସହମତି ଲୋଡ଼ା ପଡ଼ିଥାଏ। ଏହାର କାରଣ ହେଉଛି ପବ୍ଲିକ୍‌ ଅର୍ଡର୍‌ ଏବଂ ପୋଲିସ ରାଜ୍ୟ ସରକାରଙ୍କ ପରିସରଭୁକ୍ତ।

ଗୁରୁବାର ଦିନ ସିବିଆଇକୁ ନିଷିଦ୍ଧ କରାଯିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଲେଖିଛନ୍ତି।

ବାଘେଲ କହିଛନ୍ତି: ପ୍ରଥମତଃ, ଗତ କେତେ ମାସ ହେବ କେନ୍ଦ୍ର ସରକାର ସିବିଆଇର ଭୂମିକାକୁ ପ୍ରଶ୍ନବାଚୀରେ ପକାଇଛନ୍ତି। ତେଣୁ ଆମ ରାଜ୍ୟରେ ସିବିଆଇକୁ ମାତ୍ରାଧିକ କାର୍ଯ୍ୟକଳାପ ଚାଲୁରଖିବାକୁ ଅନୁମତି ଦେବା ଠିକ୍‌ ନୁହେଁ। ଦ୍ୱିତୀୟତଃ, ସିବିଆଇ ସଙ୍ଘୀୟ ବ୍ୟବସ୍ଥାର ଅପବ୍ୟବହାର କରୁଛି ଏବଂ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ପ୍ରଭାବିତ କରୁଛି।

ଏହି ଆଦେଶ ଦ୍ୱାରା ରାଜ୍ୟରେ ସିବିଆଇର ଚଳପ୍ରଚଳକୁ ବନ୍ଦ କରାଯାଇ ନାହିଁ, କିନ୍ତୁ ଛତିଶଗଡ଼ରେ କୌଣସି ଅଭିଯାନ କିଂବା ଚଢ଼ାଉ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ।

By amfnews

Related Post