Sun. May 17th, 2026

ଆତ୍ମହତ୍ୟା ଉଦ୍ୟମ କରୁଥିବା ଦୁଇ ନାବାଳିକାଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

198 Views

ଓଡ଼ଗାଁ  :  ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ରୋହିବାଙ୍କ ପଥରଖଣିରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ୨ ଜଣ ନାବାଳିକା ଭଉଣୀଙ୍କୁ ରୋହିବାଙ୍କ ଗ୍ରାମବାସୀ ଆଜି ଉଦ୍ଧାର କରି ପୁଲିସ ଜିମା ଦେଇଛନ୍ତି। ସେମାନଙ୍କ ନାମ ପ୍ରଜ୍ଞା ଓ ପ୍ରତିମା। ସେମାନେ ଯଥାକ୍ରମେ ଦଶମ ଓ ନବମ ଶ୍ରେଣୀରେ ପାଠ ପଢୁଥିବା ଗ୍ରାମବାସୀଙ୍କୁ କହିଛନ୍ତି। ସେମାନଙ୍କ ଘର ନୟାଗଡ଼ ମେଡିକାଲ ପାଖରେ।

ସେମାନଙ୍କ ବାପା-ମା’ ମରିଯିବା ପରେ ସେମାନେ ପୋଷ୍ୟ କନ୍ୟା ଭାବେ ଓଡ଼ଗାଁ ଥାନା କୋମଣ୍ତ ହରିଜନ ସାହିର ଜାଗର ନାୟକ ଓ ନରସିଂହ ନାୟକଙ୍କ ଘରେ ରହୁଛନ୍ତି। ତେବେ ସେମାନଙ୍କୁ ପାଳୁଥିବା ପରିବାର ଲୋକେ ନିୟମିତ ନିର୍ଯାତନା ଦେଉଥିବାରୁ ଏଥିରେ ହତୋତ୍ସାହିତ ହୋଇ ଆଜି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ପଥର ଖଣିକୁ ଯାଇଥିବା ବେଳେ ନିକଟସ୍ଥ ଜମିରେ କାମ କରୁଥିବା କିଛି ଚାଷୀ ତାଙ୍କୁ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ।

ଖବର ପାଇ ଓଡ଼ଗାଁ ପୁଲିସ ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି। ଉଦ୍ଧାର ହୋଇଥିବା ୨ ନାବାଳିକାଙ୍କ ମଧ୍ୟରୁ ଜଣଙ୍କର ହାତ ତତଲା ପାଣିରେ ପୋଡ଼ିଯାଇ ଫୋଟକା ହୋଇଯାଇଛି। ମୋବାଇଲରେ କଥା ହେଉଥିବାରୁ ଏବଂ ଘରକାମ ଠିକ୍‌ ଭାବେ ନକରିବାରୁ ପାଳିତ ମା’ ତାଙ୍କ ଉପରକୁ ତତଲା ପାଣି ପକାଇ ଦେଇଥିବା ସେ କହିଛନ୍ତି। ତେବେ ୨ ଭଉଣୀଙ୍କ କଥାରେ ତାଳମେଳ ରହୁନଥିବାରୁ ପ୍ରକୃତ ତଥ୍ୟ ମିଳିପାରି ନାହିଁ ବୋଲି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ତା କହିଛନ୍ତି। ନୟାଗଡ଼ ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ଓଡ଼ଗାଁରେ ପହ‌ଞ୍ଚି ସେମାନଙ୍କୁ ପଚରା ଉଚରା କରୁଛନ୍ତି। ତଦନ୍ତ ପରେ ପ୍ରକୃତ ତଥ୍ୟ ମିଳିବ ବୋଲି ଥାନା ଅଧିକାରୀ କହିଛନ୍ତି।

By amfnews

Related Post