Sat. Apr 25th, 2026

ଆଜି ନୀତି ଆୟୋଗ ବୈଠକ, ସାମିଲ ହେବେନି ମମତା ଓ କେସିଆର

194 Views

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗରେ ବୈଠକ ବସିବ। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ଏହା ପଞ୍ଚମ ସାଧାରଣ ପରିଷଦ ବୈଠକ। ମରୁଡ଼ି, ଚାଷ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା, ବର୍ଷା ଜଳ ସଂରକ୍ଷଣ ଏବଂ ଖରିଫ ଚାଷ ଆଦି ପ୍ରସଙ୍ଗ ଏହି ବୈଠକରେ ଆଲୋଚନା ହେବ। ଏଥିସହ ଏହି ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ବାବଦରେ ଆଲୋଚନା ହେବ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ରାଜ୍ୟର ଉପ-ରାଜ୍ୟପାଳ, କିଛି କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀ ଭାଗ ନେବେ। ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଯୋଗ ଦେବେ ନାହିଁ। ରାଜ୍ୟ ଗୁଡ଼ିକୁ ସହଯୋଗ କରିବା ପାଇଁ ନୀତି ଆୟୋଗ ପାଖରେ ଅର୍ଥନୀତିକ କ୍ଷମତା ନାହିଁ, ତେଣୁ ଏହି ବୈଠକରେ ଯୋଗ ଦେଲେ କିଛି ଲାଭ ହେବ ନାହିଁ ବୋଲି ଯୁକ୍ତି ବାଢ଼ି ସେ ଏହି ବୈଠକକୁ ବୟକଟ୍ କରିଛନ୍ତି।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ମଧ୍ୟ ଏହି ବୈଠକରେ ସାମିଲ ହେବେ ନାହିଁ ବୋଲି ସୂଚନା ରହିଛି। ସେ ରାଜ୍ୟର କେତେକ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ। ତେଣୁ ଏହି ବୈଠକକୁ ଆସିପାରିନଥିବା ଜଣାପଡ଼ିଛି। କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକା ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ ବୋଲି ସୂଚନା ରହିଛି।

ଫେବୃଆରୀ ୮, ୨୦୧୫ରେ ନୀତି ଆୟୋଗର ପ୍ରଥମ ବୈଠକ ବସିଥିଲା। ଦ୍ୱିତୀୟ ବୈଠକ ଜୁଲାଇ ୧୫, ୨୦୧୫, ତୃତୀୟ ବୈଠକ ଏପ୍ରିଲ ୨୩, ୨୦୧୭ ଏବଂ ଗତବର୍ଷ ଜୁନ ୧୭ରେ ନୀତି ଆୟୋଗର ଚତୁର୍ଥ ବୈଠକ ବସିଥିଲା। ଦ୍ୱିତୀୟ ଥର ପାଇଁ ମୋଦି ସରକାର ନିର୍ବାଚିତ ହୋଇଆସିବା ପରେ ଏହା ପ୍ରଥମ ବୈଠକ ହେବ।

୨୦୧୪ରେ ମୋଦି ସରକାରକୁ ଆସିବା ପରେ ପୂର୍ବରୁ ଥିବା ଯୋଜନା କମିଶନକୁ ନବୀକରଣ କରାଯାଇ ନୀତି ଆୟୋଗ ଗଠନ କରାଯାଇଛି।

By amfnews

Related Post