Fri. May 22nd, 2026
243 Views

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ। କିନ୍ତୁ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଏନେଇ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ଗିରି କହିଛନ୍ତି, “ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳବର୍ତ୍ତୀ  ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, ପୁରୀ, କଟକ, ଭଦ୍ରକ , ବାଲେଶ୍ୱର, ମୟୂରଭଞ୍ଜ ଆଦି ଜିଲ୍ଲାରେ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।”

ଶ୍ରୀ ଗିରି ଆହୁରି କହିଛନ୍ତି, “ଆଜି ଦିନ ସାରା ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତାକାଲିଠୁ ବର୍ଷାର ପରିମାଣ କମିବ। କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼। ଲଗାଣ ବର୍ଷା ଯୋଗୁ କଟକ ଓ ଭୁବନେଶ୍ୱରର କିଛି ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି।”

ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ଭୁବନେଶ୍ୱରରେ ୧୨୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କଟକରେ ୧୦୭ ମିମି, ବାଲେଶ୍ୱରରେ ୧୦୩ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ବୋଲି ଶ୍ରୀ ଗିରି ସୂଚନା ଦେଇଛନ୍ତି।

By amfnews

Related Post