Fri. Apr 24th, 2026

ଆଉ ବରଦାସ୍ତ କରାଯିବନି, ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଅଯୋଧ୍ୟା ଶୁଣାଣି ଶେଷ ହେବ: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

239 Views

ନୂଆଦିଲ୍ଲୀ: ମାମଲାର ଅନ୍ତିମ ପର୍ଯ୍ୟାୟରେ ଗୋଟାଏ ବାଧା ଦେବା ଭଳି ଆବେଦନକୁ ଅଗ୍ରାହ୍ୟ କରି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ବୁଧବାର ଦିନ କହିଛନ୍ତି ଯେ ସନ୍ଧ୍ୟା ୫ଟା ସୁଦ୍ଧା ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲାର ଯୁକ୍ତିତର୍କ ଶେଷ ହେବ।

ବୁଧବାର ଦିନ ଶୁଣାଣି ଆରମ୍ଭ ହେବା ପରେ ପାଞ୍ଚଜଣିଆ ବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠଙ୍କ ନେତୃତ୍ୱ ନେଉଥିବା ପ୍ରଧାନ ବିଚାରପତି ଗୋଗୋଇ କହିଛନ୍ତି, ପାଞ୍ଚଟା ସୁଦ୍ଧା ଏଇ ମାମଲା ଶେଷ ହେବ। ଆମେ ୫ଟା ବେଳେ ଉଠିଯିବୁ। ଆଉ ବରଦାସ୍ତ କରାଯିବ ନାହିଁ।

୩୯ ଦିନ ହେବ ସାମ୍ବିଧାନିକ ଖଣ୍ଡପୀଠ ଯୁକ୍ତିତର୍କ ଶୁଣି ଆସୁଛନ୍ତି। ଆଜି ଏହା ୪୦ ଦିନରେ ପହଞ୍ଚିଛି। ଅଦାଲତଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଏହି ଶୁଣାଣି ହେଉଛି ଇତିହାସରେ ଦ୍ୱିତୀୟ ଦୀର୍ଘତମ ମୌଖିକ ଶୁଣାଣି। ଦୀର୍ଘତମ ଶୁଣାଣି ଥିଲା ୧୯୭୨ ମସିହାର କେଶବାନନ୍ଦ ଭାରତୀ ମାମଲା। ୧୩ ଜଣ ବିଚାରପତି ସମ୍ବଳିତ ଖଣ୍ଡପୀଠ ପାର୍ଲାମେଣ୍ଟ୍‌ର କ୍ଷମତା ଉପରେ ରାୟ ଶୁଣାଇଥିଲେ। ଏଥିପାଇଁ ୬୮ ଦିନ ଧରି ଶୁଣାଣି ଚାଲିଥିଲା।

ଅଯୋଧ୍ୟା ମାମଲାରେ ଶୀର୍ଷ ଅଦାଲତରେ ୨୦୧୦ ଆହ୍ଲାବାଦ ହାଇକୋର୍ଟଙ୍କ ଚାରିଟି ଦେଓ୍ଵାନି ମକଦ୍ଦମା ରାୟ ବିରୋଧରେ ୧୪ଟି ଆବେଦନ ଫାଇଲ୍‌ କରାଯାଇଥିଲା।

By amfnews

Related Post