Sun. Sep 27th, 2026

ଆଇସିୟୁ ବେଡ୍‌ରେ ଲାଗିଛି ହ୍ୟାଣ୍ଡକପ୍, ଅଭିଯୁକ୍ତ ଫେରାର

215 Views

କଟକ :  କଟକ ଏସ୍‌ସିବି ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ଅଭିଯୁକ୍ତ ଚମ୍ପଟ ମାରିଛି। ଆଇସିୟୁ ବେଡ୍‌ରେ ହ୍ୟାଣ୍ଡକପ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ଖୋଳତାଡ଼ ଚାଲିଛି। ଅଭିଯୁକ୍ତ ଜଣକ ହେଉଛି ଆଲୋକ କୁମାର ସାହୁ(୨୨)।

ଗତ ୪ ତାରିଖରେ ରଘୁନାଥପୁରର ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଆଲୋକକୁ ଥାନାକୁ ଆଣିଥିଲା ପୁଲିସ୍‌ । କିନ୍ତୁ ସେଠାରେ ଶୌଚାଳୟକୁ ଯାଇଥିବା ବେଳେ ସେ ଫିନାଇଲ ପିଇ ଦେଇଥିଲା ।

ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ରଘୁନାଥପୁରର ଏକ ହସ୍ପିଟାଲରେ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ରଘୁନାଥପୁର ଥାନାର ୨ କର୍ମଚାରୀ ଜଗି ରହିଥିଲେ। ହେଲେ ଆଇସିୟୁରୁ କିପରି ଅଭିଯୁକ୍ତ ଚମ୍ପଟ ମାରିଲା, ଆଉ ଏ ସମ୍ପର୍କରେ ମେଡିକାଲ କର୍ମଚାରୀ ଓ ପୁଲିସ୍‌ କିପରି ଜାଣିପାରିଲେ ନାହିଁ,  ତାହା ଏବେ  ପ୍ରଶ୍ନବାଚୀ ସୃଷ୍ଟି କରିଛି।

By amfnews

Related Post