Sat. Jun 13th, 2026

ଆଇନମନ୍ତ୍ରୀ, ମୁଖ୍ୟ ସଚିବ ଆସନ୍ତୁ, ଆଲୋଚନା କରନ୍ତୁ: ଶଙ୍କରାଚାର୍ଯ୍ୟ

306 Views

ପୁରୀ : ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ଓ ସନ୍ଧ୍ୟାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନକୁ ରୀତିନୀତି ପାଇଁ ସଙ୍କେତ ଦେବା ପରେ ଆସନ୍ତାକାଲି କି କି ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ନିବଦ୍ଧ ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ କେତେବେଳେ ବସିବ ସେ ନେଇ କୌଣସି ସମୟ ଏଯାଏ ଜଣାପଡିନାହିଁ। ତେବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଥିରେ ଏକ ବଡ଼ ଭୂମିକା ରହିବ ବୋଲି ସୂଚନା ମିଳୁଛି। ସମ୍ଭବତଃ ପୂର୍ବଥର ଭଳି ଶ୍ରୀମନ୍ଦିର ପରିଚାଳନା କମିଟି ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଲୋଚନା କରି କଣ ଓ କିଭଳି ରଥନୀତି କରାଯିବ ସେ ରାସ୍ତା ବାହାର କରିପାରନ୍ତି। ଠିକ୍ ଏମିତି ସମୟରେ ଆଜି ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ରଥ ଅନୁକୂଳ ଓ ସ୍ନାନଯାତ୍ରା ପାଇଁ ତାଙ୍କ ସହିତ ଆଲୋଚନା କରାଯାଇଥିଲା। ମାତ୍ର ରଥଯାତ୍ରା ସଂପର୍କରେ ତାଙ୍କର କୌଣସି ମତ ନିଆଯାଇନାହିଁ। ତେବେ ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ତାଙ୍କ ସହିତ ଆଲୋଚନା କରିବା ଦରକାର। ଉଭୟ ଆସନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ଚାହିଁଛନ୍ତି। ଏହି ଆଲୋଚନା ପରେ ସେ ଯାହା ମତ ଦେବେ। ଜଗଦ୍‌ଗୁରୁ ଆହୁରି କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସେ ଭଲ ଭାବେ ଅନୁଶୀଳନ କରିନାହାନ୍ତି। ଅନୁଶୀଳନ କରିବା ପରେ ଅଧିକ ମତ ରଖିବେ। ବିକଳ୍ପ ବ୍ୟବସ୍ଥା ସଂପର୍କରେ ଆସନ୍ତାକାଲି ତାଙ୍କ ସହିତ ପରିଚାଳନା କମିଟି ଆଲୋଚନା କରିବେ ବୋଲି ସେ ସୂଚାଇଛନ୍ତି।

By amfnews

Related Post