Fri. May 15th, 2026

ଅପହୃତ ଯୁବକଙ୍କ କଙ୍କାଳ ଜବତ

186 Views

ନୟାଗଡ଼ : ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କଲ୍ୟାଣପୁର ଗାଁର ଜଣେ ଅପହୃତ ଯୁବକଙ୍କ କଙ୍କାଳ ଜବତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ନିକଟରୁ ଏହାକୁ ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମୃତକଙ୍କ ନାଁ ରବି ପ୍ରଧାନ।

ଗତ ମାସ ୧୫ ତାରିଖରେ ରବି ଏକ ବାଇକ୍‌ରେ ବଜାରକୁ ବୁଲିବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ଘରକୁ ନଫେରିବାରୁ ତାଙ୍କ ମାଆ ଫୋନ୍ କରିଥିଲେ। ଦୁଇରୁ ତିନି ଜଣ ଲୋକ ତାଙ୍କୁ ପିଛା କରୁଥିବା ରବି ତାଙ୍କ ମାଆଙ୍କୁ କହିଥିଲେ। ତା’ପରଠୁ ତାଙ୍କ ଫୋନ୍ ଲାଗି ନଥିଲା। ଏନେଇ ରବିଙ୍କ ମାଆ ଶରଣକୁଳ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା।

ଗତକାଲି ଏହି ଘଟଣାରେ ଜାମୁ ଝୋଲା ଗାଁର ବାଳକୃଷ୍ଣ ବରାଡ଼କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ରବିଙ୍କୁ ସେ ଏବଂ ତାର ସାଙ୍ଗମାନେ ମିଶି ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏହାପରେ ଶରଣକୁଳ ପୁଲିସ୍‌ ଘଟଣାସ୍ଥଳରୁ କଙ୍କାଳ ଜବତ କରି ଡିଏନଏ ଟେଷ୍ଟ୍‌ ପାଇଁ ପଠାଇଛି।

ସୂଚନାଯୋଗ୍ୟ, ଗାଁର ସରପଞ୍ଚଙ୍କ ପୁଅ ଜ୍ୟୋତିର୍ମୟ ମହାନ୍ତି ଓରଫ କାଳୁ, ଶ୍ରୀନିବାସ ପାତ୍ର ଓରଫ ବୁଲୁଙ୍କ ସହ ରବିଙ୍କ ପରିବାରର ରାଜନୈତିକ ବିବାଦ ରହିଥିଲା। ଏହି କାରଣରୁ ରବିଙ୍କୁ ସେମାନେ ଅପହରଣ କରି ନେଇଥିବା ରବିଙ୍କ ମାଆ ଅଭିଯୋଗ କରିଥିଲେ। ପୁଣି ପୂର୍ବରୁ ଥରେ କାଳୁ ଓ ବୁଲୁ ମିଶି ରବିଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ବି ମାମଲା ରୁଜୁ ହୋଇଥିଲା। ଏଥିଯୋଗୁ ରବିଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ମିଳୁଥିଲା। ରବି ଅପହୃତ ହେବା ଦିନଠାରୁ କାଳୁ ଓ ବୁଲୁ ବି ଫେରାର ଅଛନ୍ତି।

By amfnews

Related Post