Fri. Jul 3rd, 2026

ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଚେଇଁଲା ପୁଲିସ୍‌; ଅଭିଯୁକ୍ତ ଗିରଫ, ଥାନାବାବୁଙ୍କ ବଦଳି

240 Views

ରାଇରଙ୍ଗପୁର : ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ଶେଷରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ଏହା ଜଣାପଡ଼ିବା ପରେ ପୁଲିସ୍ ପ୍ରଶାସନ ଚେଇଁ ଉଠିଛି ଓ ଅଭିଯୁକ୍ତକୁ ଗିରଫ କରିଛି। ସେହିଭଳି ତଦନ୍ତରେ ଅବହେଳା ଅଭିଯୋଗରେ ଜଣେ ଥାନା ବାବୁଙ୍କୁ ବଦଳି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏହି ଘଟଣା।

ରାଇରଙ୍ଗପୁରର ଏକ କଲେଜ୍‌ରେ ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଥିବା ଏହି ମହିଳା ଜଣଙ୍କ ଲେଜିଡ୍ ହଷ୍ଟେଲ୍‌ରେ ରହୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ ହଷ୍ଟେଲର ୱାର୍ଡେନ୍‌ ତାଙ୍କୁ ଡାକିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ। ଏମିତିକି ଫୋନ୍ ମଧ୍ୟ ଉଠାଇ ନଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷ ତାଙ୍କ ରୁମ୍ କବାଟ ଭାଙ୍ଗି ଦେଇଥିଲେ ଓ ତାଙ୍କୁ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଏହାପରେ ପୁଲିସ୍‌କୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ତାଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍‌ ପ୍ରଥମେ ଅଧ୍ୟାପିକାଙ୍କ ମୃତଦେହ ନିକଟରେ ଏକ ସୁଇସାଇଡ୍ ନୋଟ୍ ଥିବା କହିଥିଲା। ହେଲେ ପରେ ମୃତଦେହ ନିକଟରେ କୌଣସି ସୁଇସାଇଡ୍ ନୋଟ୍‌ ନଥିବା କହିଥିଲା। ଏହାକୁ ନେଇ ଅଧ୍ୟାପିକାଙ୍କ ପରିବାର ଲୋକେ ବ୍ୟବଚ୍ଛେଦ ପାଇଁ ହଷ୍ଟେଲରୁ ମୃତଦେହକୁ ଛାଡ଼ି ନଥିଲେ। ଫଳରେ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ମୃତଦେହ ହଷ୍ଟେଲ୍‌ରେ ପଡ଼ି ରହିଥିଲା। ପ୍ରାୟ ୧୨ ଘଣ୍ଟା ପରେ ମୃତଦେହକୁ ପୁଲିସ୍ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ମୃତ ଅଧ୍ୟାପିକାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ଅକ୍ଟୋବର ମାସରେ କେନ୍ଦୁଝରର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ସେ ଅକ୍ଟୋବର ୩୦ ତାରିଖରେ ଝାରପୋଖରୀଆ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ମାନସିକ ଚାପରେ ଥିଲେ। କାରଣ ପୁଲିସ୍‌ର ନିଷ୍କ୍ରିୟତା ଯୋଗୁ ଅଭିଯୁକ୍ତର ଉପଦ୍ରବ ବଢ଼ିଯାଇଥିଲା ଓ ସେ ଦୁଷ୍କର୍ମ ବେଳର ଫଟୋ ଭାଇରାଲ୍ କରିବା ସହିତ ହତ୍ୟା ଧମକ ବି ଦେଇଥିଲା। ଏହା ସହିତ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅଧ୍ୟାପିକାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ପୁଲିସ୍ ଚେଇଁ ଉଠିଥିଲା। ଯେଉଁ କାର୍ଯ୍ୟ ମାସକରେ କରି ନଥିଲା, ତାହା ତାଙ୍କ ମୃତ୍ୟୁର ମାତ୍ର ୧୨ ଘଣ୍ଟା ଭିତରେ କରିଥିଲା। ପୁଲିସ୍  କଟକରୁ ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରିଛି। ତା’ସହିତ ଅଧ୍ୟାପିକାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏ ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରିଛି। ସେହିପରି ତଦନ୍ତରେ ଅବହେଳା ଅଭିଯୋଗରେ ଝାରପୋଖରିଆ ଥାନା ଅଧିକାରୀଙ୍କ ବଦଳି କରାଯାଇଛି। ତିରିଂ ଥାନା ଅଧିକାରୀଙ୍କୁ ଝାରପୋଖରିଆ ଆଇଆଇସି ଦାୟିତ୍ୱ ଦିଆଯାଇଛି।

By amfnews

Related Post