Wed. Sep 9th, 2026

ଅଂଶୁଘାତ ନେଲା ନାବାଳକର ଜୀବନ

256 Views

ବିଷମକଟକ : ରାୟଗଡା ଜିଲ୍ଲା ବିଷମକଟକ ଠାରେ ଅଂଶୁଘାତରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ଆଜି ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବ୍ଲକର ପାର୍ଥ ହେରନା ତାଙ୍କ ପତ୍ନୀ ଆଉ ପୁଅ ବସ୍ ଯୋଗେ ବିଷମକଟକ ଆସିଥିଲେ। ବିଷମକଟକ ବସଷ୍ଟାଣ୍ଡରେ ଓହ୍ଲାଇବା ବେଳେ ତାଙ୍କ ପୁଅ ଉମା ହେରନା(୧୪) ଅଚେତ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ୍ ଡକାଇ ଅଚେତ୍ ଅବସ୍ଥାରେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଚିକିତ୍ସା ଆରମ୍ଭ ପୂର୍ବରୁ ଉମାର ମୃତ୍ୟୁ ହୋଇଥିବା ଡାକ୍ତର ବିକାଶ ପଣ୍ଡା ସୂଚନା ଦେଇଛନ୍ତି। ଏନେଇ ମେଡିକାଲ ପକ୍ଷରୁ ଥାନାକୁ ଖବର ଦିଆଯାଇଥିବା ଜଣାପଡିଛି। ପୁଲିସ ଉପସ୍ଥିତିରେ ଶବ ବ୍ୟବଛେଦ କରାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି କୁହାଯାଇଛି। ଗାଁରୁ ଆସିବା ବେଳେ ପୁଅ ସୁସ୍ଥ ଥିବା ବେଳେ ଗାଡିରେ ଅସହ୍ୟ ଗରମ ହେଉଥିବାରୁ ସେ ଚଳନ୍ତା ଗାଡିରେ ହିଁ ଅସୁସ୍ଥ ଅନୁଭବ କରିଥିବା ତାଙ୍କ ପିତା ପ୍ରକାଶ କରିଛନ୍ତି। ତେଣୁ ଉକ୍ତ ନାବାଳକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି।

By amfnews

Related Post