Tue. Jul 28th, 2026

SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍

226 Views

କଟକ : ଆତଙ୍କ ସୃଷ୍ଟିକାରୀ ମାରାତ୍ମକ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏହାର ଉପସ୍ଥିତି ଜାହିର କରିବାରେ ଲାଗି ପଡ଼ିଛି। ଭାରତରେ ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଲାଣି। ଓଡ଼ିଶାରେ କିନ୍ତୁ ଏଯାଏ କେହି କି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।

କିଛି ଦିନ ପୂର୍ବେ ଓମାନରୁ ଫେରି କଟକ SCBରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାଯାଇଛି। ସେ ଓମାନରୁ ଫେରିବା ପରେ ଥଣ୍ଡା, କାଶ ଲାଗି ରହିବାରୁ ଏସସିବିରେ ଭର୍ତ୍ତି ହୋଇଥିଲେ। ଏଯାଏଁ SCBରେ ଚିକିତ୍ସାଧୀନ ଥିବା ସମସ୍ତ ୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

 

କିନ୍ତୁ ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।  ପୁଣି କେରଳରେ ୮ଟି, ମହାରାଷ୍ଟ୍ରରେ ୫ଟି, କର୍ଣ୍ଣାଟକରେ ୪ଟି ଏବଂ ଜାମ୍ମୁ ଓ କଶ୍ମୀରରେ ଗୋଟିଏ ରିପୋର୍ଟ ପଜିଟିଭି ଆସିବା ପରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି ହୋଇଛି। କେରଳରେ ମୋଟ ୧୪୯୫ ଜଣ ସନ୍ଦିଗ୍ଧଙ୍କୁ ଅବଜରଭେସନରେ ରଖାଯାଇଛି। ସେପଟେ କରୋନା ପ୍ରଭାବିତ ଇରାନରୁ ଫେରିଥିବା ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ସମଗ୍ର ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୨୯୪କୁ ବୃଦ୍ଧି ପାଇଛି। ଚୀନ୍‌ରେ ସ୍ଥିତି ସାମାନ୍ୟ ସୁଧୁରିଥିବା ବେଳେ ଅନ୍ୟ ଦେଶ ବିଶେଷ କରି ଇଟାଲି ଓ ଇରାନ୍‌ରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ଇଟାଲୀରେ ୯୭ ଜଣଙ୍କ ମୃତ୍ୟୁ ସହ ୧୭୯୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଇରାନରେ ନୂଆ ୫୯୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪୩ ଜଣଙ୍କ ମୃତ୍ୟୁ ହୋଇଛି।

By amfnews

Related Post