Sun. May 24th, 2026

୬୦ ପ୍ରତିଶତ ବିଲ୍ ପୈଠ କଲେ ମିଳୁଛି ଛାଡ଼, ନ ହେଲେ କଟୁଛି ଲାଇନ୍‌

308 Views

ବ୍ରହ୍ମପୁର : ବକେୟା ବିଦ୍ୟୁତ୍ ବିଲ୍‌କୁ ନେଇ ଉଭୟ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ୍‌ କାଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲିଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ  ଏହା ଜାରି ରହିବ। ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରୁ ବକେୟା ଥିବା ଉପଭୋକ୍ତାଙ୍କ ବିଦ୍ୟୁତ୍‌ କଟା ଯାଇଥିଲା। ଅନେକ ଲୋକଙ୍କ ଲକ୍ଷାଧିକ ଟଙ୍କା ବକେୟା ଥିବା ଜଣା ପଡିଥିଲା।

ଯେଉଁମାନେ ବକେୟା ବିଲ୍‌ର ୬୦ ପ୍ରତିଶତ ବିଲ୍ ଦେଇଥିଲେ, ସେମାନଙ୍କ ଲାଇଟ୍ କଟାଯାଇନଥିଲା। ଆଜି ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସାଉଥକୋ ପକ୍ଷରୁ ସୂଚନା ମିଳିଛି। ଏହାସହ ସାଉଥ ଜୋନ୍‌ର ୮ଟି ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ।

ସେହିପରି ନର୍ଥ ଇଷ୍ଟରେ ଥିବା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ବାଲେଶ୍ୱର ଜିଲ୍ଲାରେ ୩୦ଟି ସ୍କ୍ୱାଡ ଗଠନ କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ ସ୍ଥାନରେ ଏହି ପ୍ରକ୍ରିୟା ଜାରି ରହିଛି। କିଛି ଉପଭୋକ୍ତ ବକେୟା ବିଲ୍ ପଇଠ କରିଥିବା ବେଳେ କିଛି ଲୋକଙ୍କ ଲାଇନ୍ କଟାଯାଇଛି। ଯେଉଁ ଉପଭୋକ୍ତାଙ୍କ ଅଧିକ ପରିମାଣରେ ଟଙ୍କା ବାକି ଅଛି, ସେମାନଙ୍କଠାରୁ ବିଭାଗୀୟ କର୍ମଚାରୀମାନେ କିଛି ଟଙ୍କା ନେଇ କିସ୍ତିରେ ବାକି ଟଙ୍କା ଦେବାକୁ ପରାମର୍ଶ ଦେଇଛନ୍ତି।

By amfnews

Related Post