Wed. Jun 10th, 2026

୫୦୦୦ ପରିବାରକୁ ଗାଈ ବାଣ୍ଟିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

170 Views

ଅଗରତାଲା, ନଭେମ୍ବର,୫ : ଜୀବିକା ନିର୍ବାହ ନିମନ୍ତେ ଗାଈ ଦୁହିଁବାକୁ ଯୁବ ସମ୍ପ୍ରଦାୟଙ୍କୁ ଉପଦେଶ ଦେବାର କେତେଟା ଦିନ ପରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଘୋଷଣା କରିଛନ୍ତି ଯେ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଗୋପାଳନ ନିମନ୍ତେ ପ୍ରରୋଚନା ଦେବାକୁ ସେ ୫୦୦୦ ପରିବାରକୁ ଗାଈ ବାଣ୍ଟିବେ।

ଦେବ ଆହୁରି ଘୋଷଣା କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ସେ ଗାଈ ପାଳିବେ ଏବଂ ତାଙ୍କ ପରିବାର ନିମନ୍ତେ ଆବଶ୍ୟକ ଦୁଗ୍ଧ ସେଥିରୁ ମିଳିବ।

ତ୍ରିପୁରାର ମୁଖ୍ୟମନ୍ତ୍ରୀ କହିଛନ୍ତି: ଆଜି ମୁଁ ଘୋଷଣା କରୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋ ପରିବାର ସହ ମୁଁ ଗାଈ ପାଳିବା ଆରମ୍ଭ କରିବି ଏବଂ ତା’ର ଦୁଗ୍ଧ ପାନ କରିବୁ। ଏହା ଗୋପାଳନ କରିବାକୁ ତ୍ରିପୁରା ଲୋକମାନଙ୍କୁ ପ୍ରେରଣା ଦେବ ଏବଂ କୁପୋଷଣ ବିରୋଧରେ ଲଢ଼େଇ କରିବାରେ ସହାୟକ ହେବ।

୫୦୦୦ ପରିବାରରେ ଗାଈ ବଣ୍ଟନ କରିବାକୁ ଆମେ ଗୋଟିଏ ଯୋଜନା ଆରମ୍ଭ କରିବାକୁ ବାହାରିଛୁ। ବଡ଼ ବଡ଼ ଶିଳ୍ପ ବସାଇବାକୁ ମୁଁ ବିରୋଧ କରୁନାହିଁ, କିନ୍ତୁ ୨୦୦୦ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାକୁ ସେଥିରେ ଜଣକୁ ୧୦ ହଜାର କୋଟି ଟଙ୍କା ଖଟାଇବାକୁ ପଡ଼ିବ, କିନ୍ତୁ ମୁଁ ଯଦି ୫୦୦୦ ପରିବାରକୁ ୧୦, ୦୦୦ ଗାଈ ଦେବି ସେମାନେ ୬ ମାସରେ ଉପାର୍ଜନ ଆରମ୍ଭ କରିବେ ବୋଲି ଦେବ କହିଛନ୍ତି।

ସେ ପଚାରିଛନ୍ତି: ୬ ମାସ ମଧ୍ୟରେ ରୋଜଗାର ଆରମ୍ଭ କରିବା ଭଳି କୌଣସି ଶିଳ୍ପ ଅଛିକି, ଖାଲି ଜାଗା କିଣିବାକୁ ୬ ମାସ ଲାଗିବ।ରବିବାର ଦିନ ଅଗରତାଲାସ୍ଥିତ ପ୍ରଜ୍ଞା ଭବନରେ ତିନି ଦିନ ଧରି ଚାଲିଥିବା ‘ଚିନ୍ତନ ଶିବିର’ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଦେବ ଏ କଥା କହିଛନ୍ତି।

By amfnews

Related Post