Fri. Apr 24th, 2026

୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

135 Views

ଖଣ୍ଡଗିରି : ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଜଣେ ନାବାଳକକୁ ଖୋର୍ଧା ଜୁଭେନାଇଲ୍ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଛି। ସେଠାରୁ ନାବାଳକକୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଯାଇଛି। ଜ‌ଣେ ଶ୍ରମଜୀବୀ ମହିଳାଙ୍କ ନିରୀହ ଶିଶୁକନ୍ୟାଟି ପଡ଼ୋଶୀ ଘରର ଯୁକ୍ତଦୁଇ ପଢ଼ୁଥିବା ଏକ ନାବାଳକ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଘଟଣାକୁ ନେଇ ପାତ୍ରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପୀଡ଼ିତା ଶିଶୁଟି ଏବେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ରହିଛି। ସୂଚନାନୁସାରେ ପୁରୀ ପିପିଲି ଅଞ୍ଚଳର ଜଣେ ଗରିବ ମହିଳା ପାତ୍ରପଡ଼ା ଅଞ୍ଚଳରେ ଭଡ଼ାରେ ରହି ଏକ ଘରୋଇ କମ୍ପାନିରେ କାମ କରନ୍ତି।

ପ୍ରତିଦିନ କାମକୁ ଯିବା ପୂର୍ବରୁ ସେ ପଡ଼ୋଶୀ ଘରେ ନିଜର ୪ବ‌ର୍ଷର ଶିଶୁକନ୍ୟାକୁ ଛାଡ଼ି ଦେଇ ଯାଆନ୍ତି। ଗତକାଲି ସନ୍ଧ୍ୟାରେ ମହିଳାଜଣଙ୍କ ଘରକୁ ଫେରିବା ପରେ ଝିଅର ସ୍ବାସ୍ଥ୍ୟାବସ୍ଥା ଦେଖି ତାଙ୍କ ସନ୍ଦେହ ହୋଇଥିଲା ଓ ସେ ତୁରନ୍ତ ଝିଅକୁ ନେଇ ଭୁବନେଶ୍ବର ଏମ୍‌ସକୁ ଯାଇଥି‌ଲେ। ସେଠାରେ ଡାକ୍ତର ଯାଞ୍ଚ କରିବା ପରେ ଦୁଷ୍କର୍ମ ଘଟଣା ପଦାକୁ ଆସିଥିଲା। କିଛି ବୁଝି ପାରୁନଥିବା ଶିଶୁକନ୍ୟାଟି ବହୁ ସମୟ ପରେ କିଏ ମାରିଲା ବୋଲି ପଚାରିବାରୁ ଖନେଇ ଖନେଇ ଅଭିଯୁକ୍ତ ନାବାଳକର ନାଁ ନେଇଥିଲା। କଲେଜରୁ ଫେରିବା ପରେ ଅପରାହ୍ଣରେ ଅଭିଯୁକ୍ତ ନାବାଳକ ଖେଳିବା ବାହାନାରେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଜଣାପଡ଼ିଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କ ମା’ଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲା ଓ ତୁରନ୍ତ ଅଭିଯୁକ୍ତର ଘରେ ଚଢ଼‌ଉ କରି ତାକୁ ଥାନାକୁ ଧରି ନେଇଥିଲା।

By amfnews

Related Post