Wed. Aug 5th, 2026

୨୦ଲକ୍ଷ ଟଙ୍କା ଠକେଇ: ଦିଲ୍ଲୀରୁ ଅଭିଯୁକ୍ତ ଗିରଫ

251 Views

ନିଆଳି : ଜଣେ କ୍ଷୀର ପାଉଡ଼ର ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ୪୩ ହଜାର ଟଙ୍କା ଠକି ନେବା ଘଟଣାରେ ନିଆଳି ଥାନା ପୁଲିସ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏଭଳି ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଦିଲ୍ଲୀର ଅଫିଙ୍ଗ୍ ହେଲଥ୍ ୱାର୍ଲଡର ପ୍ରୋପ୍ରାଇଟର ବଳଦେବ ଭୂଇ। ବଳଦେବଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ନିଆଳି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ନୂଆଗାଁ ଗ୍ରାମର କ୍ଷୀର ପାଉଡର ବ୍ୟବସାୟୀ ସୁକାନ୍ତ କୁମାର ସାହୁ କ୍ଷୀର ପାଉଡର ଆଣିବା ପାଇଁ ବଳଦେବ ଭୂଇଙ୍କ ଆକାଉଣ୍ଟକୁ ୨୦ଲକ୍ଷ ୪୩ ହଜାର ଟଙ୍କା ଆର୍‌ଟିଜିଏସ୍‌ରେ ପଠାଇଥିଲେ। ମାତ୍ର ବଳଦେବ ମାଲ୍ ପଠାଇବା ପରିବର୍ତ୍ତେ ଏକ ଜାଲ୍ ଓ୍ବେ ବିଲ୍ ପ୍ରସ୍ତୁତ କରିବା ସହ ଏକ ଜାଲ୍ ଟ୍ରକ୍ କାଗଜପତ୍ର ପ୍ରସ୍ତୁତ କରି ମାଲ୍ ପଠାଯାଇଛି ବୋଲି ଶ୍ରୀ ସାହୁଙ୍କୁ ଜଣାଇଥିଲେ। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କ୍ଷୀର ପାଉଡର ଟ୍ରକ୍ ନ ପହଞ୍ଚିବାରୁ ଶ୍ରୀ ସାହୁ ଏ ସଂପର୍କରେ କ୍ଷୀର ପାଉଡର କମ୍ପାନିର ମାଲିକ ଶ୍ରୀ ଭୂଇଙ୍କୁ ଜଣାଇଥିଲେ। ଆଉ କିଛି ଦିନ ଅପେକ୍ଷା କରିବାକୁ ଶ୍ରୀ ଭୂଇ ଶ୍ରୀ ସାହୁଙ୍କୁ କହିବା ସହିତ ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇ ୨ଟି ଚେକ୍ ଦେଇଥିଲେ। ଶ୍ରୀ ଭୂଇଙ୍କ ପ୍ରତିଶ୍ରୁତି ଅନୁସାରେ କିଛି ଦିନ ଅପେକ୍ଷା କରିବାପରେ ଶ୍ରୀ ସାହୁ ଚେକ୍‌କୁ ବ୍ୟାଙ୍କରେ ଡିପୋଜିଟ୍ କଲାପରେ ଚେକ୍ ୨ଟି ବାଉନ୍ସ ହୋଇଥିଲା। ଏହାପରେ ଶ୍ରୀ ସାହୁ ନିଆଳି ଥାନାରେ ଶ୍ରୀ ଭୂଇଙ୍କ ନାମରେ ଲିଖିତ ଅଭିଯୋଗ କରିବାରୁ ନିଆଳି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ୍ ନିେର୍ଦ୍ଦଶରେ ଏସ୍‌ଆଇ ନିରଂଜନ ସାହୁ ଓ କନେଷ୍ଟବଳ ସଂଜୀବ୍ କୁମାର ଜେନା ଦିଲ୍ଲୀ ଯାଇଥିଲେ। ଦିଲ୍ଲୀର କାଲକାଜି ଥାନା ପୁଲିସ୍‌ ସହାୟତାରେ ସେଠାରୁ ଶ୍ରୀ ଭୂଇଙ୍କୁ ଗିରଫ୍ କରି ଦିଲ୍ଲୀ ମେଟ୍ରୋ ପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇ ନିଆଳି ଥାନାକୁ ଆଣିଥିଲେ। ଆଜି ଅଭିଯୁକ୍ତ ବଳଦେବ ଭୂଇଙ୍କୁ ନିଆଳି ସ୍ଥିତ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଇବା ପରେ ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି।

By amfnews

Related Post