Sun. Oct 11th, 2026

୧୮ ବର୍ଷ ହେଲା ଅସ୍ତିତ୍ବ ହରାଇଛି କାଞ୍ଜିଆହୁଦା

302 Views

ସୋନପୁର, ଡିସେମ୍ବର ୩୧ : ସୋନପୁର ପୌର ପରିଷଦ ଅଧୀନରେ ଥିବା ୩ଟି କାଞ୍ଜିଆହୁଦା ୧୮ ବର୍ଷ ହେଲା ବନ୍ଦ ହୋଇପଡ଼ିଛି। ଗାଈଗୋରୁଙ୍କ ଦୌରାତ୍ମ୍ୟରେ ବେହାଲ ହୋଇ ପଡଛି ଟ୍ରାଫିକ ବ୍ୟବସ୍ଥା। ଜିଲ୍ଲା ଗଠନ ହେବା ପରେ ସହରର ଜନସଂଖ୍ୟା ବୃଦ୍ଧି ଘଟିବା ସହିତ ନୂତନ ଜନବସତି ଗଢ଼ିଉଠିଛି। ଏଥିସହିତ ସହରେ ବଢ଼ିଚାଲିଛି ଗାଈଗୋରୁଙ୍କ ଦୌରାତ୍ମ୍ୟ।

ବିଜୁ ପଟ୍ଟନାୟକ ଛକ, ମଝିପଡ଼ା, ଅମ୍ବେଦକର ଛକ, ନଳିନୀ ଛକ, ଘୋଡାଘାଟ ପଡା ଛକ, କଚେରୀ ଛକ, ବ୍ଲକ ଛକ ଆଦି ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଗାଈଗୋରୁ ଦଳଦଳ ହୋଇ ବୁଲିବା ସହିତ କେତେ ବେଳେ ରାସ୍ତାରେ ଶୋଇ ରହୁଛନ୍ତି। ପୂର୍ବରୁ ରାସ୍ତାରେ ବିଚରଣ କରୁଥିବା ଗାଈଗୋରୁଙ୍କୁ ଉଦ୍ଧାର କରି କାଞ୍ଜିଆ ହୁଦାରେ ରଖାଯାଉଥିଲା।

ନିର୍ଦ୍ଧାରିତ ଜରିମାନା ଆଦାୟ ପରେ ଗାଈଗୋରୁ ଗୁଡିକର ମାଲିକଙ୍କୁ ହସ୍ତାନ୍ତର କରାଯାଉଥିଲା। ଫଳରେ ଲୋକଙ୍କ ମଧ୍ୟରେ ଭୟ ରହୁଥିଲା। କିନ୍ତୁ ୨୦୦୦ ମସିହା ପରଠାରୁ କାଞ୍ଜିଆ ହୁଦା ନିଜର ଅସ୍ଥିତ୍ବ ହରାଇଛି। କାଞ୍ଜିଆହୁଦା ନଥିବାରୁ ଲୋକେ ଗାଈ ଗୋରୁକୁ ବେଧଡ଼କ ରାସ୍ତାରେ ଛାଡ଼ି ଦେଉଛନ୍ତି। ଏ ଦିଗରେ ପୌରପରିଷଦ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।

By amfnews

Related Post