Sat. Apr 25th, 2026

୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

176 Views

ନୀଳଗିରି (ବିଶ୍ୱମ୍ୱର ଦାସ): ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆ ଭଙ୍ଗା ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଥିଲେ। ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବିଧାୟକ ଜୁସ୍‌ ପିଇ ଅନଶନ ଭାଙ୍ଗିଥିଲେ। ଅନଶନ ଭାଙ୍ଗିବା ପରେ ବିଧାୟକ ଭଙ୍ଗାଯାଇଥିବା ମହରିରଙ୍କ ଚାଳିଆକୁ ବୁଲି ଦେଖିଥିଲେ।

ବିଧାୟକ ଶ୍ରୀ ନାୟକ କହିଛନ୍ତି, “ଜିଲ୍ଲା ପ୍ରଶାସନକୁ ସିଦ୍ଧାନ୍ତ ନେବାକୁ ପଡ଼ିବ। ଲୋକଙ୍କ ହିତ ପାଇଁ ମହରିରଙ୍କ ଚାଳିଆ ତିଆରି କରିବାକୁ ପଡ଼ିବ। ଏଠି ତିଆରି ହେଉ ଅବା ଆଉ କେଉଁଠି- ସେମାନେ ଜାଗା ଦେବେ। ସେମାନେ ଏ ନେଇ ଯୋଜନା କରୁଛନ୍ତି। ସେମାନଙ୍କ ନିଷ୍ପତ୍ତିକୁ ଆମର ସମର୍ଥନ ରହିବ।”

ସୂଚନାଯୋଗ୍ୟ, ଗତକାଲି ନୀଳଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହରିରଙ୍କ ଚାଳିଆକୁ ତହସିଲଦାର ସୁଶ୍ରୀତା ଟୁଡୁ ଉଚ୍ଛେଦ କରୁଥିବା ବେଳେ ନୀଳଗିରି ବିଧାୟକ ବିରୋଧ କରିଥିଲେ। ଏହାପରେ ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ବିଧାୟକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନଶନରେ ବସିଥିଲେ। ତହସିଲଦାର ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ବିଧାୟକ ପ୍ରଥମେ ତାଙ୍କ ଉପରକୁ ଆଙ୍ଗୁଳି ଉଠାଇଥିଲେ ବୋଲି ତହସିଲ୍‌ଦାର କହିଥିଲେ।  ଏ ଘଟଣା ନେଇ ନୀଳଗିରି ଥାନାରେ ପୃଥକ୍‌ ପୃଥକ୍‌ ୪ ଟି ମାମଲା ରୁଜୁ ହୋଇଥିବା ନୀଳଗିରି ଏସ୍‌ଡିପିଓ କହିଛନ୍ତି।

By amfnews

Related Post