Sun. Apr 26th, 2026

ୟୁପି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ତଲବ କଲେ ସୁପ୍ରିମକୋର୍ଟ

195 Views

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କୌଣସି ମୁହୂର୍ତ୍ତରେ ଅଯୋଧ୍ୟା ମାମଲାର ଶୁଣାଣି କରିପାରନ୍ତି। ଏଥିପାଇଁ ଉତ୍ତର ପ୍ରଦେଶରେ ବିଶେଷ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ସୁପ୍ରିମକୋର୍ଟ। ରାୟ ଶୁଣାଣି ପରେ ସମ୍ଭାବିତ ଆଶଙ୍କାକୁ ନଜରରେ ରଖି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ରାଜେନ୍ଦ୍ର ତିଓ୍ୱାରୀ ଓ ଡିଜିପି ଓପି ସିଂହଙ୍କୁ ତଲବ କରିଛନ୍ତି। ରାଜ୍ୟର ଦୁଇ ପ୍ରମୁଖ ଅଧିକାରୀ ପ୍ରଧାନ ବିଚାରପତିଙ୍କୁ ଭେଟି ରାଜ୍ୟର ସ୍ଥିତି ବାବଦରେ ଅବଗତ କରାଇବେ। ଏହାସହ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥିତି ଉପରେ ନଜର ରଖିବେ ବୋଲି ସୂଚନା ରହିଛି।

ଅଯୋଧ୍ୟା ମାମଲାକୁ ନଜରରେ ରଖି ଡିଜିପି ଓପି ସିଂହ କହିଛନ୍ତି, ‘ପୁଲିସ ୧୬୪୯ ସୋଶାଲ ମିଡିଆ ଆକାଉଣ୍ଟ ଉପରେ କଡ଼ା ନଜର ରଖିଛି। ଆବଶ୍ୟକ ପଡ଼ିଲେ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିବ। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ରଖିବାକୁ ପୁଲିସକୁ ସବୁ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ କର୍ମୀ ରାସ୍ତାରେ ଚାଲି ଚାଲି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ଜିଲ୍ଲା ଅଧିକାରୀ ଧର୍ମଗୁରୁ, ମନ୍ଦିର ମଠ ପ୍ରଶାସନ ସହ ଆଲୋଚନା କରୁଛି। ୟୁପି ପୁଲିସ ପ୍ରଶାସନ ପାଖାପାଖି ୬୦୦୦ ଶାନ୍ତି ବାର୍ତ୍ତା ପଠାଇଛି ଓ ୫୮୦୦ ଧର୍ମଗୁରୁଙ୍କୁ ଭେଟିଛି। ଏହାସହିତ ୟୁପି ପୁଲିସ ସେନା ଓ ବାୟୁସେନା ସହ ସମ୍ପର୍କରେ ଅଛି’।

ରାଜ୍ୟର ୧୦ ହଜାର ଲୋକଙ୍କୁ ଶାନ୍ତି ନଭାଙ୍ଗିବାକୁ ନୋଟିସ କରାଯାଇଛି। ଏବେ ସୁଦ୍ଧା ୪୫୦ ଜଣଙ୍କୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି। ରାଜ୍ୟରେ ଏବେ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ଫୋର୍ସ ଅର୍ଦ୍ଧ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ତେବେ ପୂରା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ୭୦ ପ୍ଲାଟୁନ ଫୋର୍ସ ଆବଶ୍ୟକ ରହିଛି ବୋଲି ଡିଜିପି କହିଛନ୍ତି।

By amfnews

Related Post