Thu. Aug 13th, 2026

ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା : ସତ୍ୟପା‌ଠ ଦାଖଲ ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ

219 Views

କଟକ : ଶ୍ରୀଜଗନ୍ନାଥ ମନ୍ଦିର ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆମିକସ୍ କ୍ୟୁରି ଏନ.କେ.ମହାନ୍ତି ମରାମତି ସଂପର୍କରେ ଷ୍ଟାଟସ ରିପୋର୍ଟ ଦେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ମରାମତି କାର୍ଯ୍ୟରେ ବିଶେଷ ଅଗ୍ରଗତି ହେଉ ନାହିଁ। ଏପରି ପରିସ୍ଥିତିରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ମରାମତିର ଅଗ୍ରଗତି ନେଇ ଅବଗତ କରିବାକୁ ଖଣ୍ଡପୀଠ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬କୁ ଧାର୍ଯ୍ୟ କରାଯାଇଛି।

ମାମଲାର ଶୁଣାଣି ସମୟରେ ଏଏସଆଇ ପକ୍ଷରୁ ଆଜି ଦର୍ଶାଯାଇଥିଲା ଯେ ନାଟ ମଣ୍ଡପ ସ୍ଥିତି ଅନୁଧ୍ୟାନ ପାଇଁ ବସା ଯାଇଥିବା ମିଟର ମଧ୍ୟରୁ ଗୋଟିଏ ବସା ଯିବାରେ ଥିବା ସମସ୍ୟା ମାଡ୍ରାସ ଆଇଆଇଟି ସହଯୋଗରେ ସମାଧାନ ହୋଇଛି। ମିଟର ଦ୍ବାରା ରେକର୍ଡ କରାଯାଉଥିବା ଡାଟାକୁ ତର୍ଜମା କରାଯାଉଛି। ନାଟମଣ୍ଡପ ଛାତର ଟ୍ରିଟମେଣ୍ଟ କାମ ହାତକୁ ନିଆଯାଇଛି। ଏଥି ପାଇଁ ଆଇଆଇଟି ଖଡଗପୁରର ସହାୟତା ନିଆଯାଉଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ପଶ୍ଚିମ ଦ୍ବାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଯିବା ଆସିବା ଲାଗି ବ୍ୟବସ୍ଥା କରାଯାଇଛି। ଆନନ୍ଦବଜାର ଦେଇ ଭିତର ବେଢା ପର୍ଯ୍ୟନ୍ତ ରାମ୍ପ ବ୍ୟବସ୍ଥା କରାଯାଇଛି। ଘଣ୍ଟି ଦ୍ବାର ନିକଟରୁ ପ୍ରସ୍ତାବିତ କାଠ ରାମ୍ପ ନିର୍ମାଣ କାର୍ଯ୍ୟ ଅନୁମୋଦନ ପ୍ରକ୍ରିୟା ଚାଲିଛି। ଅନୁମୋଦନ ଓ ଆକଳନ ପରେ ଏହି କାର୍ଯ୍ୟ ହେବ ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା।

ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ ଏବଂ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

By amfnews

Related Post