Mon. Aug 17th, 2026

ହଷ୍ଟେଲ୍‌ ଭିତରେ ପଶି ଛାତ୍ରଙ୍କୁ ପିଟିଲେ ଅଣଛାତ୍ର

163 Views

ବଲାଙ୍ଗିର  :  ଏକ ସରକାରୀ ପଲିଟେକ୍‌ନିକ୍‌ ହଷ୍ଟେଲ୍‌ରେ ପଶି ଜଣେ ଛାତ୍ରଙ୍କୁ କିଛି ଅଣଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବଲାଙ୍ଗିର ସହର ସ୍ଥିତ ଲର୍କିପାଲି ଠାରେ ଥିବା ସରକାରୀ ପଲିଟେକ୍‌ନିକ୍‌ କଲେଜର ବଏଜ୍‌ ହଷ୍ଟେଲ୍‌ରେ। ଆହତ ଛାତ୍ରଙ୍କ ନାଁ ସୁଦାମ ମହାକୁଡ଼। ବଲାଙ୍ଗିର ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ବେଳେ ପାଞ୍ଚ ଜଣ ଯୁବକ ହଷ୍ଟେଲ୍‌ ଭିତରେ ପଶି ପ୍ରୀତମ୍‌ କୁମ୍ଭାର ନାମକ ଜଣେ ଛାତ୍ରଙ୍କୁ ଖୋଜିଥିଲେ। ହେଲେ ସେମାନେ ପ୍ରୀତମ୍‌ଙ୍କୁ ନପାଇବାରୁ  ତାଙ୍କ ସାଙ୍ଗ ସୁଦାମଙ୍କୁ ବାଉଁଶ ବାଡ଼ିରେ ପିଟିଥିଲେ। ହେଲେ ହଷ୍ଟେଲ୍‌ରେ ରହୁଥିବା ଅନ୍ୟ ଛାତ୍ରମାନେ ପ୍ରତିବାଦ କରିବାରୁ ଅଣଛାତ୍ରମାନେ ସେଠାରୁ ଫେରାର୍ ହୋଇଯାଇଥିଲେ।

ଖବର ଲେଖାଯିବା ସୁଦ୍ଧା ଏ ଘଟଣା ନେଇ ସୁଦାମ ପୁଲିସ୍‌ରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି। ଅନ୍ୟପକ୍ଷରେ ଏନେଇ ମୁହଁ ଖୋଲିଛନ୍ତି ପ୍ରୀତମ୍। ସେ କହିଛନ୍ତି,“ପୂର୍ବ ଶତ୍ରୁତାରୁ ମିଛାପାଲି ଗାଁର କିଛି ଯୁବକ ମୋତେ ଆକ୍ରମଣ କରିବାକୁ ଆସିଥିଲେ। ହେଲେ ମୋତେ ନପାଇ ମୋ ସାଙ୍ଗ ସୁଦାମକୁ ମାଡ଼ ମାରିଛନ୍ତି।” ଏହି ଘଟଣା ସମ୍ପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

By amfnews

Related Post