Wed. Jul 22nd, 2026

ହରିୟାଣା ଶକ୍ତିମନ୍ତ୍ରୀଙ୍କ ଠାରୁ ୩ କୋଟି ଟଙ୍କା ଠକି ନେବାକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ଘରୁ ଫୋନ୍‌ କରୁଛୁ ବୋଲି କହିଥିବା ଦୁଇ ବ୍ୟକ୍ତି ଗିରଫ

196 Views

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନ ଏବଂ ଅଫିସ୍‌ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ ସ୍ପୁଫ୍‌ କରି (କଥା କହିବା ବେଳେ ନିଜ ଫୋନ୍‌ ନମ୍ବର ଗୋପନ ରଖି ଅନ୍ୟଜଣଙ୍କର ଫୋନ୍‌ ନମ୍ବର ଦର୍ଶାଇବା) ହରିୟାଣାର ଶକ୍ତିମନ୍ତ୍ରୀ ରଣଜିତ ସିଂହ ଚୌତାଲାଙ୍କୁ ଠକିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ଟିମ୍‌ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଉଛନ୍ତି ୪୨ ବର୍ଷିୟ ଜଗତାର ସିଂହ ଏବଂ ୪୭ ବର୍ଷିୟ ଉପକାର ସିଂହ। ଏ ଘଟଣାରେ ସେମାନେ କେଉଁ ଭଳି ଭାବେ ଜଡ଼ିତ- ତାହା ପୁଲିସ ପ୍ରକାଶ କରିନାହିଁ।

ଡିସେମ୍ବର ୨୦ ତାରିଖ ଦିନ ରଣଜିତ ସିଂହ ଚୌତାଲା ଭାରତରେ ନିଷିଦ୍ଧ କରାଯାଇଥିବା ‘କ୍ରେଜି କଲ୍‌’ ଆପ୍‌ ଜରିଆରେ ଫୋନ୍‌ କଲ୍‌ ପାଇଥିଲେ।
ଫୋନ୍‌ କରିଥିବା ବ୍ୟକ୍ତି ତାଙ୍କୁ କହିଲେ ଯେ କୃଷ୍ଣ ମେନନ୍‌ ମାର୍ଗରେ ଥିବା ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରୁ ସେ ଫୋନ୍‌ କରୁଛନ୍ତି। ଦଳର ପାଣ୍ଠି ପାଇଁ ତିନି କୋଟି ଟଙ୍କା ଦିଅନ୍ତୁ।

ବାରମ୍ବାର ଫୋନ୍‌ ଯିବାରୁ ଚୌତାଲାଙ୍କ ସନ୍ଦେହ ବଢ଼ିଲା ଏବଂ ତଦନ୍ତ ପାଇଁ ସେ ଅମିତ ଶାହାଙ୍କ ‘ଓଏସ୍‌ଡି’ଙ୍କୁ ନିବେଦନ କଲେ। ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ କିଂବା ବାସଭବନରୁ ଏ ଭଳି କୌଣସି ଫୋନ୍‌ ଯାଇନାହିଁ ବୋଲି ସେମାନେ ସୂଚନା ଦେଲେ।

ଏହି ମାମଲାରେ ଏଫ୍‌ଆଇଆର୍‌ ଦାଏର କରାଯିବା ପରେ ଡିସିପି ପ୍ରମୋଦ ସିଂହ ଖୁସ୍‌ଓ୍ଵାଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲା। ହରିୟାଣା ଭବନ ନିକଟକୁ ଆସି ଟଙ୍କା ନେଇଯିବାକୁ ଗୁରୁବାର ଦିନ ଫୋନ୍‌ କରୁଥିବା ବ୍ୟକ୍ତିଙ୍କୁ ପୁଲିସ କହିଲା।

ପରେ ପରେ ସେହିଠାରେ ହିଁ ଜଗତାର ସିଂହଙ୍କୁ ଗିରଫ କରାଗଲା। ଶୁକ୍ରବାର ସନ୍ଧ୍ୟାବେଳେ ଚଣ୍ଡିଗଡ଼ରେ ଚଢ଼ାଉ କରି ପୁଲିସ ଉପକାର ସିଂହଙ୍କୁ ଗିରଫ କଲା।

ହରିୟାଣାର ସିର୍ସାରୁ ଆସିଥିବା ଜଗତାର ଲେଦର୍‌ ଜ୍ୟାକେଟ୍‌ ବେପାର କରନ୍ତି ଓ ଚଣ୍ଡିଗଡ଼ରୁ ଆସିଥିବା ଉପକାର ଗୋଟାଏ ଟ୍ୟାକ୍ସି ଷ୍ଟାଣ୍ଡ୍‌ ଚଳାନ୍ତି।

By amfnews

Related Post