Fri. Apr 24th, 2026

ହଟିବେ କର୍ଣ୍ଣାଟକା ବାଚସ୍ପତି ରମେଶ କୁମାର!

531 Views

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ୟେଦ୍ୟୁରପ୍ପା ସରକାର ଆରମ୍ଭ ହୋଇଛି। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ  ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ।

ବାଚସ୍ପତି କଂଗ୍ରେସ ବିଧାୟକ ହୋଇଥିବାରୁ ଶାସକ ଦଳ ବିଜେପି ପାଇଁ ଗୃହ ଚଳାଇବା କଷ୍ଟକର ହୋଇପାରେ। ଏଥିସହ ବିଦ୍ରୋହୀ ୧୪ ବିଧାୟକଙ୍କୁ ବାଚସ୍ପତି କେ ରମେଶ କୁମାର ଯଦି ଅଯୋଗ୍ୟ ଘୋଷଣା କରିଦିଅନ୍ତି ତାହେଲେ ବିଜେପି ପାଇଁ ଚିନ୍ତା ବଢ଼ିପାରେ। ତେଣୁ ବିରୋଧୀ ଦଳର ବିଦ୍ରୋହୀ ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ବିଧାନସଭାରେ ବାଚସ୍ପତି କେ ରମେଶ କୁମାରଙ୍କୁ ପଦଚ୍ୟୁତ କରିବା ପାଇଁ ଶାସକ ଦଳ ଏକ ପ୍ରସ୍ତାବ ଆଣିବ ବୋଲି ସୂଚନା ରହିଛି।

ଯଦି ଏହି ପ୍ରସ୍ତାବକୁ ଗୃହର ଅଧିକାଂଶ ବିଧାୟକ ସମର୍ଥନ କରିବେ ତାହେଲେ ଏହି ପ୍ରସ୍ତାବ ପାରିତ ହେବ। ଏବଂ ବାଚସ୍ପତି କେ ରମେଶ କୁମାର ନିଜ ପଦବୀରୁ ଓହରିବା ଏକ ପ୍ରକାର ନିଶ୍ଚିତ ହୋଇଯିବ। ଏହାପରେ ଶାସକ ଦଳର ଜଣେ ବିଧାୟକଙ୍କୁ ବାଚସ୍ପତି କରାଇ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନିଷ୍ପତ୍ତିରୁ ରକ୍ଷା କରିବା ପାଇଁ ବିଜେପି ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସମ୍ୱିଧାନର ୧୭୯(ସି) ଅନୁଯାୟୀ ବାଚସ୍ପତିଙ୍କୁ ପଦଚ୍ୟୁତ କରିବା ପାଇଁ ବିଧାନସଭାରେ ପ୍ରସ୍ତାବ ଆସି ପାରିବ। ଏଥିପାଇଁ ୧୪ ଦିନର ମହଲତ ଦେବାକୁ ହେବ। ସମ୍ୱିଧାନର ଧାରା ୧୮୧ ଅନୁଯାୟୀ ଏହି ପ୍ରସ୍ତାବ ପାରିତ ହେବା ପରେ ବାଚସ୍ପତି ଆଉ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ।

By amfnews

Related Post