Thu. Jun 11th, 2026

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ : ଚାଟାର୍ଡ ଫ୍ଲାଇଟରେ ଆସିବେ ଶାହରୁଖ, କୌଣସି ହୋଟେଲରେ ରହିବେ ନାହିଁ

202 Views

ଭୁବନେଶ୍ବର, ନଭେମ୍ବର ୨୭ : ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି  କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍‌ ସହ ଚାଟାର୍ଡ ଫ୍ଲାଇଟ୍‌ରେ ଓଡ଼ିଶାରେ ପହଞ୍ଚିବେ। ଆପାତତଃ ଦିନ ୨ଟା ବେଳେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ  ରିହର୍ସାଲ୍‌ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଯିବେ।

ରିହର୍ସାଲ୍‌ ପରେ ଭ୍ୟାନିଟ୍‌ ଭ୍ୟା‌ନରେ ବିଶ୍ରାମ ନେବେ ଓ ଏହାପରେ ପ୍ରସ୍ତୁତ ହୋଇ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରଦର୍ଶନ କରି ସେଇ ଭ୍ୟାନିଟ୍‌ ଭ୍ୟା‌ନ୍‌ ଯୋଗେ ବିମାନ ବନ୍ଦରକୁ ଯାଇ ଚାଟାର୍ଡ ଫ୍ଲାଇଟ୍‌ରେ ଫେରିଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ତେଣୁ ଓଡ଼ିଶାରେ ସେ କୌଣସି ହୋଟେଲ୍‌ରେ ରହିବେ ‌ନାହିଁ। ଶାହରୁଖ୍‌ଙ୍କୁ ଦେଖିବା ପାଇଁ ଅନେକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ମଞ୍ଚ ଉପରେ ତାଙ୍କର ସର୍‌ପ୍ରାଇଜ୍‌ ପ୍ରବେଶ ହେବ।

ଶାହରୁଖ୍‌ଙ୍କୁ ବିରୋଧ କରିବନି କଳିଙ୍ଗ ସେନା

ହକି ବିଶ୍ବକପ୍‌ ଉଦ୍‌ଘାଟନୀରେ ଶାହରୁଖ୍‌ ଓଡ଼ିଶାକୁ ଆସୁଥିବା ସୂଚନା ପାଇବା ପରେ ‘କଳିଙ୍ଗ ସେନା’ ଶାହରୁଖ୍‌ଙ୍କୁ ବିରୋଧ କରିବ ବୋଲି ସୂଚନା ଦେଇଥିଲା। ‘ଅଶୋକା’ ଚଳଚ୍ଚିତ୍ରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାର ଇତିହାସକୁ ବିକୃତ କରିଥିବା ଅଭିଯୋଗ କରି ବିରୋଧ କରିବା ନେଇ ଘୋଷଣା କରିଥିଲା। ତେବେ ହକି ଇଣ୍ଡିଆ କର୍ତୃପକ୍ଷ ଏ ନେଇ କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥଙ୍କ ସହ ଆଲୋଚନା କରିଥିଲା। କର୍ତୃପକ୍ଷଙ୍କ ଅନୁରୋଧ ପରେ କଳିଙ୍ଗ ସେନା ବିରୋଧ ନକରିବାକୁ ନିଷ୍ପତ୍ତି ନେଇଛି।

By amfnews

Related Post