Fri. May 22nd, 2026

ସ୍ୟାଟ ଉଚ୍ଛେଦ ନେଇ ହାଇକୋର୍ଟରେ ମାମଲା ଦାୟର କଲା ସ୍ୟାଟ ଓକିଲ ସଂଘ

194 Views

କଟକ : ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ୍ ପ୍ରକାଶ ପାଇଛି। ଯାହାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି | ହାଇକୋର୍ଟରେ ସ୍ୟାଟ ଓକିଲ ସଂଘ ମାମଲା ଦାୟର କରିଛି | ଗେଜେଟ ନୋଟିଫିକେସନକୁ ଚ୍ୟାଲେଞ୍ଜ କରି ମାମଲା ଦାୟର କରାଯାଇଛି | ଏହାକୁ ନେଇ ଆସନ୍ତାକାଲି ମାମଲାର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି |

ମିଳିଥିବା ସୂଚନା ମୁତାବକ ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଦ୍ଦ କରାଯାଇଛି। ଓଡ଼ିଶା ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଏପରି ପ୍ରସ୍ତାବକୁ ହାଇକୋର୍ଟଙ୍କ ଅନୁମୋଦନ ମିଳିଥିଲା।

ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ ଆକ୍ଟ, ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ତେବେ ଏହି ବିଜ୍ଞପ୍ତିକୁ ସ୍ୟାଟ୍‌ ବାର୍‌ ଆସୋସିଏସନ୍‌ ପକ୍ଷରୁ ବିରୋଧ କରାଯାଇଥିଲା |

By amfnews

Related Post