Fri. Apr 24th, 2026

ସୋମା ମଣ୍ଡଳ ହେବେ ସେଲ୍‌ର ପ୍ରଥମ ମହିଳା ମୁଖ୍ୟ, କ୍ୟାବିନେଟ୍ କମିଟି ଅନୁମୋଦନକୁ ଅପେକ୍ଷା‌

242 Views

କୋଲକାତା: ରାଷ୍ଟ୍ରାୟତ୍ତ ଇସ୍ପାତ କଂପାନି ସେଲ୍‌ର ପରବର୍ତୀ ଅଧ୍ୟକ୍ଷ ପଦ ପାଇଁ ସୋମା ମଣ୍ଡଳଙ୍କ ନାମ ଚୟନ କରାଯାଇଛି। ସରକାରୀ ଉଦ୍ୟୋଗ ଚୟନ ବୋର୍ଡ ତାଙ୍କ ନାମ ଚୟନ କରିଛି। ତେବେ ତାଙ୍କ ନିଯୁକ୍ତି ପାଇଁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟିର ମଞ୍ଜୁରି ଦରକାର ପଡ଼ିବ। ଯଦି କ୍ୟାବିନେଟ୍‌ କମିଟି ତାଙ୍କ ନିଯୁକ୍ତି ଅନୁମୋଦନ କରିବ ତେବେ ସେ ହେବେ ସେଲ୍‌ର ପ୍ରଥମ ମହିଳା ଅଧ୍ୟକ୍ଷ। ସେଲ୍‌ ସ୍ଥାପନ ହେବା ଦିନଠାରୁ ତାହା ପୁରୁଷ ଅଧ୍ୟକ୍ଷଙ୍କ ଦ୍ବାରା ପରିଚାଳିତ ହେଉଛି। ତାଙ୍କ ନିଯୁକ୍ତି ନିଶ୍ଚିତ ହେଲେ ସାରା ବିଶ୍ବରେ ସେ ଏକ ବିରଳ ମାନ୍ୟତା ପାଇବେ। ଆଜି ପର୍ଯ୍ୟନ୍ତ ବିଶ୍ବର କୌଣସି ଦେଶରେ ଜଣେ ମହିଳା ଇସ୍ପାତ କଂପାନିର ମୁଖ୍ୟ ହୋଇନାହାନ୍ତି। ୨୦୧୮ ସେପ୍ଟେମ୍ବରରେ ଶ୍ରୀମତୀ ମଣ୍ଡଳ ନିର୍ଦେଶିକା (ବାଣିଜ୍ୟିକ) ଭାବେ ଯୋଗ ଦେଇଥିଲେ।

ସେଲ୍‌ ବୋର୍ଡରେ ସାମିଲ ହେବାରେ ସେ ଥିଲେ ପ୍ରଥମ ମହିଳା। ଏହା ପୂର୍ବରୁ ସେ ରାଷ୍ଟ୍ରାୟତ୍ତ ଆଲୁମିନିୟମ କଂପାନି ନାଲ୍‌କୋର ନିର୍ଦେଶିକା (ବାଣିଜ୍ୟିକ) ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ଏନ୍ଆଇଟି ରାଉରକେଲାରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଶ୍ରୀମତୀ ମଣ୍ଡଳ ନାଲ୍‌କୋରେ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନି ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଦେଶବିଦେଶରେ ନାଲ୍‌କୋ ଉତ୍ପାଦଗୁଡ଼ିକୁ ବିକ୍ରି କରିବା ଲାଗି ସେ ରଣନୀତି ପ୍ରସ୍ତୁତ କରୁଥିଲେ। ନୂତନ ଉତ୍ପାଦ ଉନ୍ମୋଚନରେ ମଧ୍ୟ ସେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ସେଲ୍‌ର ପରବର୍ତୀ ଅଧ୍ୟକ୍ଷଙ୍କୁ ଚୟନ କରିବା ଲାଗି ଗତ ସୋମବାର ସାକ୍ଷାତକାର ହୋଇଥିଲା। ସେଲ୍‌ ଅଧ୍ୟକ୍ଷ ପଦ ପାଇଁ ସୋମାଙ୍କୁ ପ୍ରଥମ ପସନ୍ଦର ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ବେଳେ ଦ୍ବିତୀୟ ବିକଳ୍ପ ଭାବେ ସେଲ୍‌ର ନିର୍ଦେଶକ (ଉତ୍ପାଦନ) ଅନିର୍ବାଣ ଦାସଗୁପ୍ତାଙ୍କ ନାମ ଚୟନ କରାଯାଇଛି। ବର୍ତ୍ତମାନ କଂପାନିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅନିଲ ଚୌଧାରୀ ଚଳିତ ବର୍ଷ ଶେଷ ଆଡ଼କୁ ସେ ଅବସର ଗ୍ରହଣ କରିବେ।

By amfnews

Related Post