Sun. Sep 27th, 2026

ସୁର ବାବା ଆଶ୍ରମରୁ ଯୁବକ ନିଖୋଜ, ୯ ବର୍ଷ ହେଲା ମିଳୁନି ପତ୍ତା

211 Views

ଜଗତସିଂହପୁର : ୯ ବର୍ଷ ହେଲା ପୁଅକୁ ନ ଦେଖି ବୁଝୁନି ମା’ ମନ।  ଫଟୋ ଧରି ଆଖିରୁ ଗଡ଼ାଉଛି ଲୁହ । ୨୦୧୧ ମାର୍ଚ୍ଚ ମାସଠାରୁ ପୁଅ ଯାଇଛି ଯେ ଯାଇଛି, ଆଉ ଫେରିନି। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନସ୍ଥିତ ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ କାମ କରିବାକୁ ଯାଇ ପୁଅ ନିଖୋଜ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ୨୦୧୧ ମାର୍ଚ୍ଚ ମାସଠାରୁ ତାଙ୍କର ଖୋଜ୍ ଖବର ମିଳୁନାହିଁ । ଏନେଇ ପୁଲିସ୍‌ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଫଳରେ ପୁଅର ଫେରିବା ବାଟକୁ ଚାହିଁ ଆଶାଆଶଙ୍କାରେ ଦିନ କାଟୁଛନ୍ତି ପରିବାର ଲୋକେ।

ଜଗତସିଂହପୁର ଏରସମା ଥାନା ଲଛମାକଣ ଗାଁର ଅଜିତ ସେନାପତି ସୁରବାବାଙ୍କ ଆଶ୍ରମରେ ୨୦୦୯ ମସିହାରୁ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ସହିତ ଆଶ୍ରମ ପରିସରରେ ରହୁଥିଲେ । ହେଲେ ଏହାର ୨ ବର୍ଷ ପରଠୁ ପୁଅ ସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇପାରୁନି। ଏ ସମ୍ପର୍କରେ ନିଖୋଜ ଅଜିତଙ୍କ ମା’ ଚନ୍ଦ୍ରାବଳୀ ସେନାପତି ତ୍ରାହି ଅଚ୍ୟୁତ ଆଶ୍ରମ ଯାଇ ପଚରାପଚରି କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ପାଇନଥିଲେ । ବରଂ ତାଙ୍କୁ ଆଶ୍ରମ ପରିସରରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଚନ୍ଦ୍ରାବଳୀ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଅଜିତଙ୍କ ପରିବାର ଲୋକେ ପ୍ରାୟ ୫ ବର୍ଷ ପୂର୍ବେ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ପୁଲିସ୍‌ ହାଲ୍‌କା ଭାବେ ନେଉଥିବାରୁ ପୁଲିସ୍‌ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ପୁଅ କେଉଁଠି ଅଛି ସେ ସମ୍ପର୍କରେ ସୁର ବାବା ହିଁ କହିପାରିବେ ବୋଲି କହିଛନ୍ତି ନିଖୋଜ ଅଜିତ୍‌ଙ୍କ ପରିବାର ଲୋକେ। ସେପଟେ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ପୁଲିସ୍‌ ହାଲ୍‌କା ଭାବେ ନେଉଥିବାରୁ ପୁଲିସ୍‌ର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ତେବେ ଏନେଇ ପୁଲିସ୍‌ ଓ ତ୍ରାହି ଅଚ୍ୟୁତ ଆଶ୍ରମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  ।

By amfnews

Related Post