Mon. Jul 27th, 2026

ସୁଧୁରୁଛି କମଳାଙ୍କ ସ୍ବାସ୍ଥ୍ୟାବସ୍ଥା

240 Views

କୋରାପୁଟ , ଜାନୁଆରୀ ୨୯  : ‘ପଦ୍ମଶ୍ରୀ’ ସମ୍ମାନ ପାଇଁ ମନୋନୀତ ହୋଇଥିବା କମଳା ପୂଜାରୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟୁଛି। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ (ଏସଏଲଏନ) କଲେଜ ଆଇସିୟୁରେ ଚିକିତ୍ସାଧୀନ କମଳା ପୂଜାରୀଙ୍କ ଆଜି କିଛି ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରେ ସବୁକିଛି ଠିକ୍‌ ଥିବା ଜଣାପଡ଼ିଛି।

ଉଚ୍ଚ ରକ୍ତଚାପ ସାଂଗକୁ କଫ ଓ ଜ୍ବରରେ ପୀଡିତ ଥିବା କମଳା ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ହେଲେ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ନ ହେବାରୁ ଗତକାଲି ତାଙ୍କୁ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ମେଡିକାଲ କଲେଜର ଆଇସିୟୁରେ ରହିଥିବା କମଳାଙ୍କ ସ୍ବାସ୍ଥ୍ୟ ଉପରେ ଏକ ଡାକ୍ତରୀ ଦଳ ନଜର ରଖିଛନ୍ତି। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି। ଆଜି ସିଡିଏମଓ ଡା.ଲଳିତ ମୋହନ ରଥ, ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. କାଳୀପ୍ରସାଦ ବେହେରା, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଳିଆ ପ୍ରମୁଖ କମଳାଙ୍କ ପାଖକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ସେହିପରି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କମଳାଙ୍କୁ ଭେଟି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର କ୍ଷେତ୍ରବାସୀ ସୁବୁଦ୍ଧି କହିଛନ୍ତି ଯେ, ଏକ ଡାକ୍ତରୀ ଦଳ ଗତକାଲିଠାରୁ କମଳାଙ୍କ ଚିକିତ୍ସା କରୁଛନ୍ତି। ଏବେ ରକ୍ତଚାପ ନିୟନ୍ତ୍ରଣରେ ରହିଥିଲା ବେଳେ ସଂକ୍ରମଣ ମଧ୍ୟ କମିଛି। ତେବେ କମଳା ପୂଜାରୀ ଘରକୁ ଯିବା ପାଇଁ ଡାକ୍ତରଙ୍କୁ କହିଛନ୍ତି। ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି। ଏହାର ରିପୋର୍ଟ ଆସିବା ପରେ ସ୍ଥିତି ଦେଖି ତାଙ୍କୁ ଘରକୁ ଛଡ଼ାଯିବ ବୋଲି ପ୍ରଫେସର ସୁବୁଦ୍ଧି କହିଛନ୍ତି।

By amfnews

Related Post