Wed. Sep 9th, 2026

ସିଏଏ ପାଇଁ ଠପ ହୋଇଗଲା ବିହାର, ମଇଁଷି ରଖି ରାଜରାସ୍ତା ବନ୍ଦ କଲେ

286 Views

ପାଟନା: କେନ୍ଦ୍ର ସରକାର ଅଣ ମୁସଲିମମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି। ସେହିପରି ଟାୟାର ଜାଳି ରାସ୍ତା ରୋକ କରିଥିବା ମଧ୍ୟ ଦେଖିବାକୁ ମିଳିଛି।

ଆରଜେଡିର ଏହି ବନ୍ଦ ଡାକରାରେ ବିକାଶଶୀଳ ଇନସାନ ପାର୍ଟି ମଧ୍ୟ ସାମିଲ ହୋଇଛି। ତେବେ ଏହି ଦଳର କର୍ମୀମାନେ ପାଟନାରେ ବ୍ୟାରିକେଡ୍‌ ଭାଙ୍ଗିବାରୁ ପୁଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି। ଆରଜେଡି କର୍ମୀମାନେ ବିହାରର ପାଟନାରେ ଟାୟାର ଜାଳି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବୈଶାଳୀରେ ଆରଜେଡି କର୍ମୀମାନେ ମଇଁଷି ଜରିଆରେ ରାସ୍ତାରୋକ କରିଛନ୍ତି। ଦରଭଙ୍ଗାର ଓ ବୈଶାଳୀ ରାସ୍ତାରେ ଶତାଧିକ ମଇଁଷି ରହିଥିବାରୁ ଯାତାୟାତ ଠପ ହୋଇଯାଇଛି। ସେହିପରି ଦରଭଙ୍ଗାରେ ଶତାଧିକ ଆରଜେଡି କର୍ମୀ ଖୋଲା ଦେହରେ ଶୋଭାଯାତ୍ରା କରି କେନ୍ଦ୍ର ଓ ସିଏଏ ବିରୋଧରେ ନାରାବାଜି କରିଛନ୍ତି। ଆନ୍ଦୋଳନକାରୀମାନେ ରେଳ ଧାରଣାରେ ବସି ରହିବାରୁ ଟ୍ରେନ ଚଳାଚଳ ସମଗ୍ର ବିହାରରେ ପ୍ରଭାବିତ ହୋଇଛି।

By amfnews

Related Post