Mon. Jul 27th, 2026

ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରଶ୍ନ ‘କାହିଁକି ଧାର୍ଯ୍ୟ ସମୟ ପୂର୍ବରୁ ଶୀତ ଅଧିବେଶନ ସାରିଦେଲେ ବାଚସ୍ପତି’

297 Views

ଭୁବନେଶ୍ବର:ଶୀତ ଅଧିବେଶନ ସରିଲା, ସମାଲୋଚନା ଆରମ୍ଭ ହେଲା। ଅଧାରୁ ଅଧିବେଶନ ସରିବାକୁ ନେଇ ଅସନ୍ତୋଷ ଜାହିର କଲା ବିଜେପି । ଗତକାଲି ବିଧାନସଭାକୁ ବାଚସ୍ପତି ହଠାତ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିବା ପରେ ଆଜି ବାଚସ୍ପତିଙ୍କୁ ଘେରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ରାଜ୍ୟରେ ଅନେକ ସମସ୍ୟା, ଅନେକ ପ୍ରସଙ୍ଗ ଥାଇ ମଧ୍ୟ କଣ ପାଇଁ ଅଧିବେଶନ ସାରିଦେଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିଷ୍ଣୁ ।
ତେବେ ବିଧାୟକଙ୍କ ପ୍ରଶ୍ନ ନଶୁଣି, ତାଙ୍କୁ କହିବାକୁ ନଦେଇ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଅଧିବେଶନକୁ ତରବର ଭାବେ ଆଗୁଆ ସାରିଦେବା ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ବିଷ୍ଣୁ କହିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ସରିବା ସରକାରଙ୍କ ଅପାରଗତା କହି ସମାଲୋଚନା କରିଛନ୍ତି ବିଷ୍ଣୁ । ଡିସେମ୍ବର ୧୯ ଯାଏଁ କାର୍ଯ୍ୟ ଦିବସ ଘୋଷଣା କରି ମାତ୍ର ୧୭ ଦିନରେ ବିଧାନସଭା ବନ୍ଦ କରିଦେବା ରାଜ୍ୟ ସରକାରଙ୍କ ମନମାନୀ ଅଟେ ବୋଲି ସେ କହିଛନ୍ତି।
ସେପଟେ ସ୍ମିତାରାଣୀ, ଏପଟେ ମଣ୍ଡିରେ ଧାନ ଉଠୁ ନଥିବା ଭଳି ବିଭିନ୍ନ ଆଲୋଚନାକୁ ଡରିଗଲେ ସରକାର । ଲୋକମାନେ ଆମକୁ ଭରସା କରି ବିଧାନସଭା ପଠାଉଛନ୍ତି । ସେମାନଙ୍କ ସମସ୍ୟା ସରକାରଙ୍କ କାନରେ ପକାଇ ତାର ସମାଧାନ କରିବାକୁ ଆମକୁ ଜିତାଉଛନ୍ତି , ହେଲେ ଏଠି ବିଧାୟକଙ୍କ କଥା ନଶୁଣି, ତାଙ୍କୁ କହିବାକୁ ନଦିଆଯାଇ ତାଙ୍କ ପାଟି ଚୁପ କରି ଦିଆଯାଉଛି । ଏହାଠାରୁ ବିଡମ୍ବନାର କ’ଣ ଆଉ କଣ ହୋଇପାରେ ବୋଲି ବିଷ୍ଣୁ କହିଛନ୍ତି ।


ତେବେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସରକାର କେଉଁ ଆଧାରରେ କ୍ଲିନଚିଟ ଦେଲେ ତାହା ବୁଝାପଡୁନି । । ପର୍ଯ୍ୟଟନ ବିଭାଗର ଚିଠି, ଦୁଇ ମହିଳାଙ୍କ ତାଜ ହୋଟେଲରେ ରହଣୀ ସହ ଇଣ୍ଡିଗୋ ଫ୍ଲାଇଟରେ ଯାତ୍ରାର ସମସ୍ତ ତଥ୍ୟ ତାଙ୍କ ପାଖରେ ଅଛି । ଯେହେତୁ ଗୃହରେ କୌଣସି ମନ୍ତ୍ରୀଙ୍କ ବିବୃତି ପରେ ଆଉ କାହାର କହିବାର ସୁଯୋଗ ନଥାଏ , ସେଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବିବୃତି ଉପରେ ଚ୍ୟାଲେଂଜ କରିପାରିଲୁନି । ତେଣୁ ସଂସ୍କୃତି ମନ୍ତ୍ରୀ ନୈତିକତା ଆଧରରେ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।

By amfnews

Related Post