Fri. May 17th, 2024

ସାଧାରଣତନ୍ତ୍ର ଦିବସରେ ଦେଖିବାକୁ ମିଳିବନି ଓଡିଶାର ପ୍ରଜ୍ଞାପନ ମେଢ, ମନ ଲୋଭିଛି ଭବ୍ୟ ରାମମନ୍ଦିର

By amfnews Dec 15, 2020 #Featured
187 Views

ନୂଆଦିଲ୍ଲୀ, ଡିସେମ୍ବର ୧୫ : ଆସନ୍ତା ୨୦୨୧ ସାଧାରଣତନ୍ତ୍ର ଦିବସରୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ବାଦ୍‌ ପଡ଼ିଛି । ଓଡ଼ିଶାର ଡିଜାଇନ୍‌ ଚୟନ କମିଟିକୁ ଆକୃଷ୍ଟ କରିପାରିନାହିଁ। ସେଥିପାଇଁ ନିକଟରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ବୈଠକରେ ଓଡ଼ିଶାର ମେଢ଼ ସ୍ଥାନ ପାଇନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ଚିଠିରେ ପ୍ରକାଶ ପାଇଛି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶାର ଶିଳ୍ପୀମାନଙ୍କଠାରୁ ପ୍ରଜ୍ଞାପନ ମେଢ଼ ମ‌ଡେଲ୍‌ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରି ଓଡ଼ିଶାରୁ ୮ ମଡେଲ୍‌ ଚୟନ କରିଥିଲେ। ତୃତୀୟ ବୈଠକରେ ଓଡ଼ିଶାର ଦୁଇ ପ୍ରଜ୍ଞାପନ ମେଢ଼ ସ୍ଥାନ ମଧ୍ୟ ପାଇଥିଲା। ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଓ ବୌଦ୍ଧ ଐତିହ୍ୟ ବିଷୟ ଆଧାରିତ ଦୁଇ ମଡେଲ୍‌ ସ୍ଥାନ ପାଇଥିଲା।

ଏହି ଡିଜାଇନ୍‌ ପରିବର୍ତ୍ତନ କରିବା ପାଇଁ କୁହାଯାଇଥିଲା। ମାତ୍ର ଆସନ୍ତା ୧୬ ତାରିଖ ନୂଆଦିଲ୍ଲୀରେ ବୈଠକ ପୂର୍ବରୁ ଯେଉଁ ୨୦ଟି ରାଜ୍ୟର ପ୍ରଜ୍ଞାପନ ମେଢ଼ ଚୟନ ହୋଇଥିବା ପ୍ରକାଶ ପାଇଛି, ସେଥିରେ ଓଡ଼ିଶାର ନା ନଥିବା ଜଣାପଡିଛି।

ଗତବର୍ଷ ସାଧାରଣତନ୍ତ୍ର ଦିବସରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବା ସହ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ଏଥିସହ ଯୋଗ ଦେଇଥିବା ସାଂସ୍କୃତିକ ଦଳ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା। ୨୦୧୬, ୨୦୧୭ରେ ମଧ୍ୟ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇ ପ୍ରଶଂସିତ ହୋଇଥିଲା।

ତେବେ ଚଳିତବର୍ଷ ରାଜପଥରେ ଭାରତର ଅନେକ କଳା, ସଂସ୍କୃତି ପ୍ରଦର୍ଶିତ ହେବ। ସେଥିମଧ୍ୟରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼ ସମସ୍ତଙ୍କର ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେଥିରେ ମନ୍ଦିରର କଳାକୃତି, ଦୀପାବଳୀର ଦୀପ ଉତ୍ସବକୁ ସାମିଲ କରାଯିବ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ହିମାଚଳ ସରକାରଙ୍କ ପକ୍ଷରୁ  ଲାହଲ୍-ସ୍ପିତିର ସମୃଦ୍ଧ ସଂସ୍କୃତି ଏବଂ ଅଟଳ ଟନେଲ ପ୍ରଦର୍ଶିତ କରିବେ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ଼ ସମ୍ପର୍କରେ ମଧ୍ୟ ଆଗାମୀ ବୈଠକରେ ସ୍ପଷ୍ଟ ହୋଇପାରେ।

By amfnews

Related Post