Fri. Aug 14th, 2026

ସମୁଦ୍ର ଭିତରେ ତେଲ ଟ୍ୟାଙ୍କର ଉପରକୁ କ୍ଷେପଣାସ୍ତ୍ର ମାଡ଼

206 Views

ଇରାନ : ସାଉଦି ଆରବ ଉପକୂଳ ଦେଇ ଇରାନର ସିନୋପା ନାମକ ତେଲ ଟ୍ୟାଙ୍କର ବା ଜାହାଜ ଯାଉଥିବା ବେଳେ ଆଜି ସମୁଦ୍ର ଭିତରେ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। ଦୁଇଟି କ୍ଷେପଣାସ୍ତ୍ର ଆସି ଟ୍ୟାଙ୍କର ଉପରେ ମାଡ଼ ହେବା ପରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ସାଉଦି ଆରବ କିନ୍ତୁ ଏବାବଦରେ କିଛି ପ୍ରତିକ୍ରିୟା ରଖି ନାହିଁ। ଏବେ ଟ୍ୟାଙ୍କରଟି ସମୁଦ୍ର ଭିତରେ ଜଳୁଥିବା ସୂଚନା ରହିଛି। ଟ୍ୟାଙ୍କର ଭିତରେ ଥିବା ତେଲ ଏବେ ସମୁଦ୍ରରେ ଭାସୁଛି ବୋଲି ଖବର ସରବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଚାଲିଥିବାବେଳେ ଏହି ଘଟଣା ଦୁଇ ଦେଶ ମଧ୍ୟରେ ଥିବା ବିବାଦକୁ ଆହୁରି ତୀବ୍ର କରିଛି।

ଇରାନର ରାଷ୍ଟ୍ରାୟତ୍ତ ତେଲ କମ୍ପାନୀ (ଏନଆଇଓସି)ର ସୂଚନା ଅନୁଯାୟୀ ସାଉଦି ଆରବର ଜେଦ୍ଦାର ବନ୍ଦରରୁ ୧୦୦ କିଲୋମିଟର ଦୂରରେ ଇରାନର ସିନୋପି ତେଲ ଟ୍ୟାଙ୍କର ଯାଉଥିଲା। ଏହି ସମୟରେ ଦୁଇଟି ମିସାଇଲ୍ ଆସି ତେଲ ଟ୍ୟାଙ୍କରକୁ ମାଡ଼ କରିଛି। ଇରାନର ନୂର ଖବର ସରବରାହ ସଂସ୍ଥାର ସୂଚନା ଅନୁଯାୟୀ ଟ୍ୟାଙ୍କରର ସମସ୍ତ ପାଇଲଟ୍ ସୁରକ୍ଷିତ ରହିଛନ୍ତି।

ସୂଚନାଯୋଗ୍ୟ, ଗତ ସେପ୍ଚେମ୍ୱର ୧୪ରେ ସାଉଦି ଆରବର ରାଜଧାନୀ ରିଆଦରେ ଥିବା ଏକ ତେଲ ଡିପୋ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା। ଏଥିରେ ସାଉଦି ଆରବକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ପାଖାପାଖି ୫.୭ ନିୟୁତ ବ୍ୟାରେଲ ତେଲ ନଷ୍ଟ ହୋଇଥିଲା। ଏହାପରେ ବିଭିନ୍ନ ଦେଶକୁ ସାଉଦି ଆରବ ତେଲ ରପ୍ତାନୀ କରିବା ବନ୍ଦ କରି ଦେଇଥିଲା। ଏହି ଘଟଣା ପାଇଁ ୟେମେନର ହୋଥି ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିଛି। ସାଉଦି ଆରବର ରାଜଧାନୀ ରିଆଦ କିନ୍ତୁ ତେହରିନକୁ ଦାୟୀ କରିଛି।

By amfnews

Related Post