Mon. Aug 3rd, 2026

ସମସ୍ୟା ଭିତରେ ନବରଙ୍ଗପୁର ମଡେଲ୍‌ ଡିଗ୍ରୀ କଲେଜ୍‌

252 Views

ନବରଙ୍ଗପୁର : ଉଚ୍ଚ ଶିକ୍ଷାର ମାନ ବଢ଼ାଇବା ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ କେଉଁଠି ଅଧ୍ୟାପକଙ୍କ ମରୁଡ଼ି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ଦେଖିବାକୁ ମିଳୁଛି। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି। ଏମିତି କିଛି ସ୍ଥିତି ଦେଖିବାକୁ ମିଳିଛି  ନବରଙ୍ଗପୁର ମଡେଲ୍‌ ଡିଗ୍ରୀ କଲେଜ୍‌ରେ।

୨୦୧୬ ମସିହାରୁ ଏହି କଲେଜ କାର୍ଯ୍ୟକ୍ଷମ ହୋଇଛି। କଲେଜ ପାଇଁ ତିନି ମହଲା କୋଠା ସହିତ ହଷ୍ଟେଲ୍‌ ତିଆରି ହୋଇଛି। ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ଶିକ୍ଷାଦାନ ପାଇଁ ଏଠାରେ ବ୍ୟବସ୍ଥା ହୋଇଛି। ଏବେ ଏହି କଲେଜରେ ଏହି ତିନିଟି ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷକୁ ମିଶାଇ ମୋଟ ୧୦୫୮ ଛାତ୍ରଛାତ୍ରୀ ଅଛନ୍ତି। ତେବେ ପଢ଼ାଇବା ପାଇଁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି। ମୋଟ ୪୧ଟି ଅଧ୍ୟାପକ ପଦରୁ ମାତ୍ର ୧୧ଟିରେ ଅଧ୍ୟାପକ ଅଛନ୍ତି।

କଲେଜ୍‌ରେ ଯୁକ୍ତ ୩ କଳା ପିଲାଙ୍କୁ ପଢ଼ାଇବା ପାଇଁ ୧୫ଟି ଅଧ୍ୟାପକ ପଦବୀ ରହିଛି। ତେବେ ଏବେ ଅଛନ୍ତି ମାତ୍ର ୨ ଜଣ। ସେହିଭଳି ବିଜ୍ଞାନ ବିଭାଗରେ ୧୫ ଜଣ ଅଧ୍ୟାପକଙ୍କ ବଦଳରେ ଅଛନ୍ତି ମାତ୍ର ୫ ଜଣ। ବାଣିଜ୍ୟ ପାଇଁ ୫ଟି ଅଧ୍ୟାପକ ପଦ ରହିଥିବା ବେଳେ ମାତ୍ର ଜଣେ ଅଧ୍ୟାପକ ଅଛନ୍ତି। ଇଂରାଜୀ ଓ ଓଡ଼ିଆ ବିଷୟ ପାଇଁ ୬ ଜଣ ଲେଖାଏ ଅଧ୍ୟାପକ ଦରକାର ଥିବା ବେଳେ ଇଂରାଜୀରେ ଜଣେ ଓ ଓଡ଼ିଆରେ ୨ ଜଣ ଅଧ୍ୟାପକ ଅଛନ୍ତି। ପିଲାଙ୍କ ପାଠପଢ଼ା ପାଇଁ କିଛି ଅସ୍ଥାୟୀ ଅଧ୍ୟାପକ ରଖାଯାଇଥିବା ସୂଚନା ମିଳିଛି।

ଗୋଟିଏ ପିଇଟି, ଅତିରିକ୍ତ ଲାଇବ୍ରେରିଆନ୍‌ ଓ ଜୁନିୟର କ୍ଲର୍କ ପଦ ସହ ୪ ଲାଇବ୍ରେରିଆନ୍‌ ଓ ୪ ଲ୍ୟାବ୍‌ ଆଟେଣ୍ଡେଣ୍ଟ ପଦ ଖାଲି ରହିଥିବାରୁ ସେମାନଙ୍କର କାମ ଏହି ୧୧ ଅଧ୍ୟାପକ ପାଳି କରି କରୁଛନ୍ତି। ଖାଲି ସେତିକି ନୁହେଁ, ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଆଉଟ୍ ସୋର୍‌ସିଂ କରି ରଖାଯାଇଛି।

By amfnews

Related Post