Mon. Oct 12th, 2026

ସପ୍ତାହେ ଯାଏ ଓଡ଼ିଶାରେ ଶୁଖିଲା ରହିବ ପାଗ

JPEG Pro
232 Views

ଭୁବନେଶ୍ବର : ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତିର ତାପମାତ୍ରାରେ ସେ‌ତେଟା ପରିବର୍ତନ ହେବ ନାହିଁ। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିବ। ୧୮ ତାରିଖ ବେଳକୁ ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ସୁନ୍ଦରଗଡ଼, କୋରାପୁଟରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗତକାଲି ରାତିରେ ଦାରିଙ୍ଗବାଡ଼ି ସମେତ ୭ଟି ସହରର ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗବାଡ଼ିରେ ପୂର୍ବଭଳି ୧୦ ଡିଗ୍ରି ରହିଥିବା ବେଳେ ସୁନ୍ଦରଗଡ଼ରେ ୧୨.୫, ଅନୁଗୁଳରେ ୧୨.୬, ଫୁଲବାଣୀରେ ୧୨.୬, କୋରାପୁଟରେ ୧୨.୮, ଟିଟିଲାଗଡ଼ରେ ୧୩.୧, କେନ୍ଦୁଝରରେ ୧୪.୨ ଡିଗ୍ରି ଥିଲା।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଖରାଟିଆ ତଥା ଶୁଖିଲା ରହିବ। ଉତ୍ତରା ପବନ ଜାରି ରହିବ। ଆସନ୍ତା ୨ ଦିନ ଯାଏ ସମଗ୍ର ରାଜ୍ୟର ତାପମାତ୍ରା ଆଜି ଅପେକ୍ଷା ଏକ ଡିଗ୍ରି ଅଧିକ ରହିବ। ତା’ପରେ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିବ। ଉପକୂଳ ଜିଲ୍ଲାଗୁଡ଼ିକରେ ବିଶେଷ ଥଣ୍ଡା ବଢ଼ିବ ନାହିଁ। ତେବେ କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ଥଣ୍ଡା କ୍ରମଶଃ ବଢ଼ିବ। ପୂର୍ବରୁ ଆକଳନ କରାଯାଇଥିବା ପୂର୍ବା ପବନ ଓଡ଼ିଶାକୁ ପ୍ରବାହିତ ନ ହୋଇ ଆନ୍ଧ୍ର ଓ ତାମିଲନାଡ଼ୁ ଉପକୂଳରେ ରହିବ। ତେଣୁ ୧୬ ତାରିଖଠାରୁ ସେଠାରେ ପାଗ ମେଘୁଆ ରହିବା ସହ ବର୍ଷା ହେବ।

By amfnews

Related Post