Sun. Jun 14th, 2026

ସଂସଦରେ ପୁନଃ ଉସ୍ଥାପିତ ହେଲା ତିନି ତଲାକ୍‌ ବିଲ୍‌; କେନ୍ଦ୍ର ଆଇନ୍‌ ମନ୍ତ୍ରୀ କହିଲେ ଆଗତ ବିଲ୍‌ କୌଣସି ଜାତି, ସଂପ୍ରଦାୟ, ଧର୍ମ ଓ ବିଶ୍ୱାସ ବିରୋଧରେ ଉଦ୍ଦିଷ୍ଟ ନୁହେଁ

311 Views

ନୂଆଦିଲ୍ଲୀ: ସଂସଦର ଲୋକସଭାରେ ସଂଶୋଧିତ ତିନି ତଲାକ୍‌ ବିଲ୍‌ ଆଜି ଆଉଥରେ ପୁନଃ ଉପସ୍ଥାପିତ ହେବା ସହ ଏହା ଉପରେ ବିତର୍କ ଆରମ୍ଭ ହୋଇଛି। ସଂଶୋଧିତ ତିନି ତଲାକ ବିଲ୍‌କୁ ସଂସଦର ଲୋକସଭାରେ ଉପସ୍ଥାପିତ କରି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ଆଗତ ଏହି ବିଲ୍‌ଟି କୌଣସି ଜାତି କିମ୍ବା ସଂପ୍ରଦାୟ କିମ୍ବା ଧର୍ମ ଓ ବିଶ୍ୱାସ ବିରୋଧରେ ଉଦ୍ଦିଷ୍ଟ ନୁହେଁ। ଏହା କେବଳ ମାତ୍ର ମହିଳାମାନଙ୍କର ଅଧିକାର ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ। ମୁହଁରେ ତିନି ତଲାକ ଉଚ୍ଚାରଣ କରି କାହାକୁ ଛାଡ଼ପତ୍ର ଦେବା ଆଇନ ସମତ୍ତ ନୁହେଁ। ଏପରି କାର୍ଯ୍ୟ ଏକ ଦଣ୍ଡନୀୟ ଅପରାଧ ଏବଂ କେହି ଯଦି ଏପରି ପନ୍ଥା ଅବଲମ୍ବନ କରି ଛାଡ଼ପତ୍ର ପ୍ରଦାନ କରେ, ତେବେ ସେଥିପାଇଁ ତିନି ବର୍ଷ ପାଇଁ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ।

ସଂସଦରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ବିଶ୍ୱର ୨୦ଟି ମୁସ୍‌ଲିମ ରାଷ୍ଟ୍ର ମୁହଁରେ ତିନି ତଲାକ ଉଚ୍ଚାରଣ ସହ ତତ୍‌କାଳ ଛାଡ଼ପତ୍ର ଦେବା ପ୍ରଥାକୁ ଅସିଦ୍ଧ ଓ ବେଆଇନ୍‌ ବୋଲି ଘୋଷଣା କରି ସାରିଛନ୍ତି। ତେଣୁ, ଭାରତ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ତିନି ତଲାକ୍‌କୁ ଅବୈଧ ଘୋଷଣା କରିବା ପାଇଁ ସବୁ ଦଳ ଆଗେଇ ଆସିବାକୁ ଏହି ବିଲ୍‌ ସଂସଦରେ ଉପସ୍ଥାପିତ କରିବା ଅବସରରେ ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

By amfnews

Related Post