Wed. Sep 2nd, 2026

ଷ୍ଟେସନ୍‌ରେ ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

186 Views

ଜଟଣୀ : ପୂର୍ବତଟ ରେଳବାଇର ଖୋର୍ଧା ରୋଡ୍‌ ଷ୍ଟେସନ୍‌ରେ ଗୁରୁବାର ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ୪ ଦୁର୍ବୃତ୍ତଙ୍କୁ ରେଳବାଇ ପୁଲିସର ସ୍ପେସାଲ ଟାସ୍କ‌ଫୋର୍ସ(ଏସ୍‌ଟିଏଫ୍‌)ର ଏକ ଟିମ୍‌ ଗିରଫ କରିଛି। ସେମାନେ ହେଲେ, ଜଟଣୀ ଥାନା ଅନ୍ତର୍ଗତ ବାଲିଛକ ମୁଣ୍ତିଆ ସାହିର ସାହିଲ ଅଲ୍ଲୀ ଓରଫ ସାହିଲ (୨୨), ସେକ୍ ଆବିଦ୍‌ (୨୨), ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ବିଷ୍ଣୁ ପ୍ରସାଦ ସ୍ବାଇଁ ଓରଫ କାହ୍ନା ଏବଂ କୁଦିଆରି ଲେପ୍ରସି କଲୋନିର କୃଷ୍ଣ ସ୍ବାଇଁ ଓରଫ କୁସୁନି (୨୧)। ସେମାନଙ୍କଠାରୁ ଏକ ଖେଳନା ବନ୍ଧୁକ, ଛୁରି, ୪ ପ୍ୟାକେଟ ଲଙ୍କାଗୁଣ୍ତ, ୪ଟି ମୁଖା, ଏକ ଖୁର ଓ ବିଭିନ୍ନ କମ୍ପାନିର ୧୫ଟି ଦାମୀ ମୋବାଇଲ୍‌ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ଜଗନ୍ନାଥ ଏକ୍ସପ୍ରେସ୍‌‌ରେ ଡାକୟତି ପାଇଁ ଏହି ଅଭିଯୁକ୍ତମାନେ ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନ୍‌ର ପ୍ଲାଟଫର୍ମ ନମ୍ବର ୭ର ଏକ ନିକାଞ୍ଚନ ସ୍ଥାନରେ ବସି ଯୋଜନା କରୁଥିଲେ। ସେହି ସମୟରେ ଏସ୍‌ଟିଏଫ୍‌ର ପାଟ୍ରୋଲିଂରତ ଟିମ୍‌ ସେମାନଙ୍କୁ କାବୁ କରି ନେଇଥିଲା। ଏହାବ୍ୟତୀତ ଟ୍ରେନ୍ ଝରକା ନିକଟରେ ବସୁଥିବା ଯାତ୍ରୀମାନଙ୍କ ମୋବାଇଲ ଛିନ୍‌ତାଇରେ ଏହି ଅଭିଯୁକ୍ତମାନଙ୍କର ହାତ ଥିବା ସୂଚନା ଏସ୍‌ଟିଏଫ୍‌ ସୂଚନା ଦେଇଛି। ଜଟଣୀ ଆରପିଏଫ ଇନସ୍‌ପେକ୍ଟର ବିଦ୍ୟାଧର ବାରିକ, ଜିଆରପି ଇନ୍‌ସପେକ୍ଟର ସନ୍ତୋଷ କୁମାର ବାହିନୀପତି ଓ ଏସଟିଏଫ୍‌ ଟିମ୍‌ର ଅନ୍ୟ ଅଧିକାରୀମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀ‌‌ରେ ଏହି ସୂଚନା ଦେଇଛନ୍ତି।

By amfnews

Related Post